ଇଂଲଣ୍ଡ,୧୭/୬: ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ବିଜୟ ଶଙ୍କର ପାକିସ୍ତାନ ବିପକ୍ଷରେ ନିଜର ପ୍ରଥମ ବିଶ୍ୱକପ ମ୍ୟାଚ ମଞ୍ଚେଷ୍ଟାରରେ ଖେଳିଥିଲେ । ପଦାର୍ପଣ ମ୍ୟାଚରେ ହିଁ ଇତିହାସ ରଚିଛନ୍ତି ବିଜୟ ଶଙ୍କର । ଚଳିତ ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ର ୨୨ ତମ ମ୍ୟାଚରେ ଭାରତୀୟ ଭାବେ ବଡ ରେକର୍ଡ ପ୍ରଥମଥର ପାଇଁ ହାସଲ କରିଛନ୍ତି ସେ । ବିଶ୍ୱକପରେ ପ୍ରଥମ ବଲରେ ୱିକେଟ ହାସଲ କରିବାରେ ସେ ବର୍ତ୍ତମାନ ସୁଦ୍ଧା ଏକମାତ୍ର ଭାରତୀୟ ଭାବେ ବଡ ରେକର୍ଡ଼ ସ୍ଥାପନ କରିଛନ୍ତି ।
୪୪ ବର୍ଷର ଇତିହାସରେ କୌଣସି ଭାରତୀୟ ବୋଲର ତାର ପ୍ରଥମ ବଲରେ ୱିକେଟ ହାସଲ କରିବାରେ ସଫଳ ହୋଇନଥିଲେ । ଏହି ତାଲିକାରେ ଭାରତୀୟ ଖେଳାଳି ଭାବେ ପ୍ରଥମ ରେକର୍ଡ ହାସଲ କରିଛନ୍ତି ବିଜୟ । ପାକିସ୍ତାନ ବିପକ୍ଷରେ ଭୁବନେଶ୍ୱର କୁମାର ଇନିଂସର ପଞ୍ଚମ ଓଭରରେ ଆହତ ହେବା କାରଣରୁ ୪ଟି ବଲ ପକାଇ ଡ୍ରେସିଂ ରୁମ୍ ଫେରିଥିଲେ । ତାଙ୍କ ସ୍ଥାନରେ ଓଭର ଶେଷ କରିବା ପାଇଁ ଭାରତୀୟ ଅଧିନାୟକ ବିଜୟ ଶଙ୍କରଙ୍କୁ ବଳକା ୨ଟି ବଲ କପାଇବା ପାଇଁ ଦେଇଥିଲେ । ତେବେ ସୁଯୋଗର ଭରପୁର ଫାଇଦା ଉଠାଇବା ସହିତ ପ୍ରଥମ ବଲରେ ହିଁ ଇମାମ୍ ଉଲ୍ ହକଙ୍କୁ ଆଉଟ୍ କରିଥିଲେ ବିଜୟ । ଏହା ସହିତ ବିଶ୍ୱକୁପରେ ନିଜର ପ୍ରଥମ ବଲରେ ୱିକେଟ ହାସଲ କରିବାରେ ବିଜୟ ଶଙ୍କର ପ୍ରଥମ ଭାରତୀୟ ହୋଇଯାଇଛନ୍ତି ।
ବୋଲିଂରେ ଜଲୱା ଦେଖାଇବା ପୂର୍ବରୁ ବିଜୟ ଶଙ୍କର ବ୍ୟାଟିଂ କରି ୧୫ଟି ବଲରୁ ଅପରାଜିତ ୧୫ ରନ ମଧ୍ୟ କରିଥିଲେ । ବିଜୟ ଶଙ୍କରଙ୍କ ପୂର୍ବରୁ ବାରମୁଡାର ମଲାଚି ଜୋସ୍ ୨୦୦୭ ବିଶ୍ୱକପରେ ତାଙ୍କର ପ୍ରଥମ ବଲରେ ଭାରତୀୟ ଓପନର ରବିନ୍ ଉଥପ୍ପାଙ୍କୁ ଏବଂ ଅଷ୍ଟ୍ରେଲିଆର ଇଆନ୍ ହାର୍ବେ ୨୦୦୩ ବିଶ୍ୱକପରେ ପାକିସ୍ତାନର ସଲୀମ୍ ଇଲାହୀଙ୍କୁ ପ୍ରଥମ ବଲରେ ହିଁ ଆଉଟ କରିଥିଲେ । ସବୁଠାରୁ ମଜା କଥା ହେଉଛି ସେ ସମୟରେ ମଧ୍ୟ ଇଆନ୍ ହାର୍ବେ, ଆହତ ୱାଟ୍ସନଙ୍କ ସ୍ଥାନରେ ଦଳରେ ଖେଳିବାକୁ ସୁଯୋଗ ପାଇଥିଲେ ଏବଂ ବିଜୟ ଶଙ୍କର ଆହତ ଶିଖର ଧାୱନଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି ।