ନୂଆଦିଲ୍ଲୀ,୨/୧: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୬ କୋଟିରେ ପହଁଞ୍ଚିଛି । ବୁଧବାର ନୂଆଦିଲ୍ଲୀରେ ଆୟଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ୬ କୋଟି ତମ ହିତାଧିକାରୀଙ୍କୁ ଏଲପିଜି ସିଲିଣ୍ଡର ପ୍ରଦାନ କରିଛନ୍ତି । ଉତ୍ସବରେ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ସହ କେନ୍ଦ୍ର ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସଂଶା କରିଥିଲେ ଉପ ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦର୍ଶୀ ଚିନ୍ତାଧାରା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟଶୈଳୀ ଏହି ଯୋଜନାକୁ ସଫଳତାରେ ଶୀର୍ଷରେ ପହଁଞ୍ଚାଇଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନକୁ ପୂରଣ କରୁଛି ବୋଲି କହିଛନ୍ତି ।
ଦେଶର ଜଣେ ହେଲେ ଗରିବ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରୁ ବଞ୍ଚିତ କରାଯିବନି । ଗ୍ୟାସ ନେଉଥିବା ହିତାଧିକାରୀଙ୍କ ମଧ୍ୟରୁ ୮୦ ପ୍ରତିଶତ ହିକାଧିକାରୀ ରିଫିଲିଂ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ କହିଛନ୍ତି । ବିଗତ ୩୨ ମାସରେ ଏହି ଯୋଜନାକୁ ଅଭୂତ ପୂର୍ବ ସଫଳତା ମିଳିଛି । ଆମ ସରକାର ଦେଶର ଗରିବ ଓ ମହିଳାଙ୍କ ପାଇଁ ସମର୍ପିତ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏଲପିଜି ଗ୍ୟାସର ବ୍ୟବହାରର ୫୦ବର୍ଷରେ କେବଳ ୧୩ କୋଟି କନେକ୍ସନ ହୋଇଥିବା ବେଳେ ଗତ ୫୪ ମାସ ମଧ୍ୟରେ ଆମ ସରକାର ସମାନ ସଂଖ୍ୟକ କନେକ୍ସନ ଯୋଗାଇଛି । ଅନ୍ୟ ବିକାଶଶୀଳ ଦେଶ ପାଇଁ ଏହି ଯୋଜନା ଉଦାହାରଣ ସାଜିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ପ୍ରସଂଶା କରିଛି ।