ସୁନ୍ଦରଗଡ଼,୬/୪: ଶନିବାର ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁନ୍ଦରଗଡ ସହର ଉପକଣ୍ଠ ରୂପିଡିହି ଖେଳପଡିଆରେ ଭାଜପା ପକ୍ଷରୁ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ମୋଦି ଯୋଗଦେଇ ଉଦ୍ବୋଧନ ଦେଇଛନ୍ତି। ସେ କହିଛନ୍ତି ଯେ, ସୁନ୍ଦରଗଡ଼ର ଏ ଜନସମୁଦ୍ର ଦେଖି ମୁଁ ଅଭିଭୂତ। ଆପଣମାନଙ୍କ ଆଶୀର୍ବାଦ ମୁଁ ଜୀବନସାରା ଭୁଲିପାରିବି ନାହିଁ। ପ୍ରଧାନମନ୍ତ୍ରୀ ନୁହେଁ, ପ୍ରଧାନ ସେବକ ସୁନ୍ଦରଗଡ଼ ଆସିଛି। ପ୍ରଧାନ ସେବକ ତା’ର ମାଲିକଙ୍କଠାରୁ ଆଶୀର୍ବାଦ ନେବାକୁ ଆସିଛି।
ଦେଶ ସୁରକ୍ଷାରେ ଲାଗିଥିବା ଓଡ଼ିଶାର ସବୁ ଯବାନଙ୍କୁ ପ୍ରଣାମ ଜଣାଇ ଦେଶ ଓ ଓଡ଼ିଶାରେ କିଭଳି ସରକାର ଦରକାର ତା’ର ଫଇସଲା କରିବା ସମୟ ଆସିଛି ବୋଲି ମୋଦି କହିଛନ୍ତି। ସେହିପରି ଆହୁରି କହିଛନ୍ତି, ଇମାନଦାର ନା ଭ୍ରଷ୍ଟ ସରକାର ଦରକାର ତାହା ଆପଣମାନଙ୍କୁ ଫଇସଲା କରିବାକୁ ପଡ଼ିବ। କଂଗ୍ରେସ, ବିଜେଡି ସରକାର ଦେଖିଛନ୍ତି, ଭାଜପା କାମ ବି ଦେଖିଛନ୍ତି। ଆପଣମାନଙ୍କୁ ଫଇସଲା କରିବାକୁ ପଡ଼ିବ, କେଉଁ ସରକାର ଆପଣଙ୍କୁ ଦରକାର। ଭାଜପା ପରିବାରବାଦ କି ପଇସାରେ ଚାଲେ ନାହିଁ। ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ଝାଳରେ ଏହି ଦଳ ଗଢ଼ା ହୋଇଛି। ମଜଭୁତ ଭାରତ ପାଇଁ ମଜଭୁତ ସରକାର, ମଜଭୁତ ଭାରତ ପାଇଁ ମଜଭୁତ ଓଡ଼ିଶାର ଆବଶ୍ୟକତା ରହିଛି। ବିଧାନସଭା ଓ ଲୋକ ସଭାରେ ପଦ୍ମ ଫୁଲ ଫୁଟିବା ଦରକାର ବୋଲି ମୋଦି ପ୍ରକାଶ କରିଛନ୍ତି।