ଲକ୍ଷ୍ନୌ,୧୬/୪: କେନ୍ଦ୍ର ଗୃହମନ୍ତ୍ରୀ ତଥା ଲକ୍ଷ୍ନୌ ଲୋକସଭା ଆସନର ଭାଜପା ପ୍ରାର୍ଥୀ ରାଜନାଥ ସିଂହ ମଙ୍ଗଳବାର ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରଥମେ ସେ ହନୁମାନ ସେତୁ ମନ୍ଦିରରେ ପୂଜା କରିଥିଲେ। ଏହାପରେ ସ୍ଥାନୀୟ ଭାଜପା କାର୍ଯ୍ୟାଳୟଠାରୁ ପ୍ରାୟ ୧୨ କିଲୋମିଟର ପର୍ଯ୍ୟନ୍ତ ଏକ ରୋଡ ଶୋ’ କରିବାପରେ ଜିଲ୍ଲାପାଳଙ୍କ କାର୍ଯାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ରାଜନାଥ। ଏହି ସମୟରେ ତାଙ୍କ ସହ ଦଳର ବହୁ ନେତା ଏବଂ ଜେଡିୟୁ ସାଧାରଣ ସଂପାଦକ କେ ସି ତ୍ୟାଗୀ ପ୍ରମୁଖ ଉପସ୍ଥିତ ଥିଲେ। ହେଲେ ଏହି ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଖିବାକୁ ମିଳି ନ ଥିଲା। ନିର୍ବାଚନ ପ୍ରଚାର ସମୟରେ ବିବାଦୀୟ ବୟାନ ଦେଇଥିବା ଯୋଗୁ ନିର୍ବାଚନ ଆୟୋଗ ତାଙ୍କ ଉପରେ ୭୨ ଘଣ୍ଟିଆ ପ୍ରତିବନ୍ଧକ ଲଗାଇଛନ୍ତି। ଅପରପକ୍ଷରେ ଏହି ରାଲିରେ ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ଏବଂ ଦିନେଶ ଶର୍ମାଙ୍କ ସମେତ ଯୋଗୀ ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ, ୨୦୧୪ରେ ରାଜନାଥ ସିଂହ ଏହି ଆସନରୁ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।