ନୂଆଦିଲ୍ଲୀ, ୧୯/୧୨ : ୬ ବର୍ଷ ପାକିସ୍ତାନ ଜେଲରେ କାଟିବା ପରେ ନିଜ ଦେଶକୁ ଫେରିବେ ଭାରତୀୟ ଯୁବକ ହାମିଦ ନିହାଲ ଅଂସାରୀ । ଶନିବାର ତାଙ୍କ କାରାଦଣ୍ଡର ଅବଧି ଶେଷ ହେବା ପରେ ମଙ୍ଗଳବାର ଭାରତ ଫେରିବେ ହାମିଦ ଅଂସାରୀ । ନଭେମ୍ବର ୨୦୧୨ ରେ ହମିଦଙ୍କୁ ପାକିସ୍ତାନର କୋହାଟରୁ ଗିରଫ କରାଯାଇଥିଲା । ଅଂସାରୀ ୨୦୧୨ ମସିହାରେ ଜଣେ ପାକିସ୍ତାନୀ ଯୁବତୀ ସହ ଅନଲାଇନରେ ବନ୍ଧୁତା ସ୍ଥାପନ କରିବା ପରେ ତାଙ୍କୁ ଭେଟିବା ପାଇଁ ଅବୈଧ ଭାବରେ ପାକିସ୍ତାନ ପହଁଚିଥିଲେ । ସେ ଆଫଗାନିସ୍ତାନ ପଟୁ ଅବୈଧ ଭାବରେ ପାକିସ୍ତାନ ପହଁଚିଥିଲେ । କି;ୁ ଦୁର୍ଭାଗ୍ୟ ବସତଃ ନକଲି ପାସପୋର୍ଟ ରଖିବା ଏବଂ ପାକ ବିରୋଧୀ ଅପରାଧ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଗଲା । ମୁମ୍ବାଇରେ ରହୁଥିବା ହମିଦ ଅଂସାରୀଙ୍କୁ ପାକିସ୍ତାନ ସରକାର ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କଲେ । ପେଶୱର ସେଣ୍ଟ୍ରାଲ ଜେଲରେ ତାଙ୍କୁ ବନ୍ଦୀ କରି ରଖାଯାଇଥିଲା । ଅଂସାରୀଙ୍କ ମାତା-ପିତା ଦୀର୍ଘ ସମୟ ଧରି ପୁଅର ଫେରିବା ବାଟକୁ ଚାହିଁ ବସିଥିଲେ । ଅଂସାରି ମ୍ୟାନେଜମେଣ୍ଟ ସାଇନ୍ସରେ ଡିଗ୍ରୀ ହାସଲ କରିଥିଲେ ଏବଂ ପାକିସ୍ତାନ ଯିବାର କିଛି ଦିନ ପୂର୍ବରୁ ହିଁ ସେ ମୁମ୍ବାଇର ଏକ କଲେଜରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ । ଅଂସାରୀଙ୍କ ମା ଫୈଜିଆ ଅଂସାରୀ ମୁମ୍ବାଇରେ ହିନ୍ଦି ଅଧ୍ୟାପିକା ତଥା କଲେଜର ଭାଇସ ପ୍ରିନ୍ସିପାଲ ଥିବା ବେଳେ ତାଙ୍କ ବାପା ଜଣେ ବ୍ୟାଙ୍କର ।
କୋହଟର ଏକ ଯୁବତୀ ସହ ଅଂସରୀଙ୍କର ଅନଲାଇନରେ ବନ୍ଧୁତା ହୋଇଥିଲା । ତାଙ୍କୁ ଭେଟିବା ପାଇଁ ସେ ପାକିସ୍ତାନ ଯିବାକୁ ଜିଦ ଧରି ବସିଥିଲେ । ବାରମ୍ବାର ଭିଜା ପାଇଁ ଆବେଦନ କରିବା ସତେ୍ୱ ତାଙ୍କୁ ଭିଜା ମିଳିନଥିଲା । ତା’ପରେ ସେ କୋହଟର ସ୍ଥାନୀୟ ଲୋକଙ୍କ ସହ ସମ୍ପର୍କ କରି ପାକିସ୍ତାନ ପହଁଚିଥିଲେ । ତେବେ ନିକଟରେ ପାକିସ୍ତାନ କୋର୍ଟ ଏହି ମାମଲାରେ ସରକାରଙ୍କୁ ଆଦେଶ ଦେଇଛନ୍ତି କି, ଭାରତୀୟ କଏଦୀଙ୍କର କାରାଦଣ୍ଡ ସମୟ ପୂରଣ ହେବା ମାତ୍ରେ ତାଙ୍କୁ ଭାରତ ପଠାଯାଉ । ଏତଦ୍ ବ୍ୟତୀତ ତାଙ୍କର ଏକ ମାସ ମଧ୍ୟରେ କାଗଜପତ୍ର କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୧୫ରେ ଅଂସାରୀଙ୍କ କାରାଦଣ୍ଡ ସମ୍ପୂର୍ଣ୍ଣ ହେବାପରେ ତାଙ୍କ ଓକିଲ ଡିସେମ୍ବର ୧୬ରେ ଜେଲରୁ ମୁକ୍ତି ପାଇଁ ଅପିଲ କରିଥିଲେ । ଓକିଲ ପେଶାୱାର ହାଇକୋର୍ଟରେ ଅଭିଯୋଗ ଆଣିଥିଲେ ଯେ, ସରକାର ଅଂସାରୀଙ୍କ ଜେଲରୁ ମୁକ୍ତି ପାଇଁ କୌଣସି ପଦପକ୍ଷ ନେଇ ନାହାଁନ୍ତି । ଜେଲଦଣ୍ଡ ଅବଧି ସରିଯାଇଥିଲେ ମଧ୍ୟ କାଗଜପତ୍ର ସମସ୍ୟା କାରଣରୁ ସେ ବାହାରିବା ସମ୍ଭବ ହେଉନଥିଲା । ଏହାପରେ ପେଶୱାର ଉଚ୍ଚ ନ୍ୟାୟାଳୟ ହସ୍ତକ୍ଷେପ କରି ସରକାରଙ୍କୁ ଏକ ମାସ ସମୟ ଦେଇଥିଲେ ।
Prev Post