ପୁରୀ, ୨୨/୫: କାଲି ସକାଳୁ ଆରମ୍ଭ ହେବ ଭୋଟ ଗଣତି । ନିର୍ବାଚନ ଫଳାଫଳ କଣ ହେବ, କାହା ସପକ୍ଷରେ ଯିବ ମତଦାନ ତାହାକୁ ସମସ୍ତେ ଚାହିଁ ରହିଛନ୍ତି। ବିଭିନ୍ନ ସ୍ଥାନରେ ଏବେ ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି। ତେବେ ଫଳାଫଳ ଜାଣିବା ପାଇଁ ଜନସାଧାରଣ ମୁଖ୍ୟତଃ ଟିଭି ଉପରେ ନିର୍ଭର କରିଥାନ୍ତି। ଟିଭିରେ ବିଭିନ୍ନ ରାଉଣ୍ଡର ଫଳାଫଳ ଆସିଥାଏ। କିଏ କେଉଁ ରାଉଣ୍ଡରେ ଆଗେଇଛନ୍ତି ଏବଂ କିଏ ପଛରେ ପଡିଯାଇଛନ୍ତି ତାହା ଜଣାପଡିଥାଏ। ହେଲେ ଏଥର ପୁରୀ ଜିଲାବାସୀ ଏଥିରୁ ବଞ୍ଚତ୍ତ ହେବେ। ଟିଭିରୁ ଗଣତିର ଫଳାଫଳ ଜାଣିପାରିବେ ନାହିଁ। ଏହାକୁ ନେଇ ଲୋକେ ନିରାଶ ହୋଇପଡିଛନ୍ତି। ଫନୀ ଏମିତି ଦୁଃଖ ଦେଇଛି ବୋଲି କୁହାଯାଉଛି। ବାତ୍ୟାରେ ପୁରୀ ଜିଲାରେ ବ୍ୟାପକ କ୍ଷତି ଘଟିଛି। ବହୁ ସଂଖ୍ୟାରେ ଘର, ଗଛ ଭାଙ୍ଗି ପଡିଥିବା ବେଳେ ବ୍ୟାପକ ମାତ୍ରାରେ ବିଦ୍ୟୁତ୍ ଖୁଣ୍ଟ ପ୍ରଭାବିତ ହୋଇଛି।
ବିଦ୍ୟୁତ୍ ସେବାକୁ ସ୍ବାଭାବିକ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଚାଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସବୁ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ ହୋଇପାରି ନାହିଁ। ପୁରୀ ସହରରେ ମଧ୍ୟ ଅର୍ଦ୍ଧାଧିକ ଉପଭୋକ୍ତା ବିଦ୍ୟୁତ୍ ସେବାରୁ ବଞ୍ଚତ୍ତ ଅଛନ୍ତି। ଯେଉଁ କେତେଜଣଙ୍କ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇଥିଲେ ବି ସେମାନଙ୍କ ଘରେ ଏ ପର୍ଯ୍ୟନ୍ତ ଟିଭି ଚାଲୁନାହିଁ। କାରଣ ବିଭିନ୍ନ କମ୍ପାନୀର କେବୁଲ ନେଟୱର୍କ ଏବେ ସୁଦ୍ଧା କାର୍ଯ୍ୟକ୍ଷମ କରିନାହିଁ। ହାତଗଣତି କେତେଜଣ ଡିଟଏଚ୍ ଉପଭୋକ୍ତଙ୍କ ଘରେ ଟିଭି ଚାଲୁଥିବା ଜଣାପଡିଛି। ମୋଟାମୋଟି ଜିଲାର ସର୍ବାଧିକ ଲୋକେ ଟେଲିଭିଜନ ଦେଖିପାରୁ ନାହାନ୍ତି। ତେଣୁ ଟିଭିରୁ ନିର୍ବାଚନ ଫଳାଫଳ ଜାଣି ନ ପାରିବା ନେଇ ଅନେକ ନିରାଶ ହୋଇପଡିଛନ୍ତି। ହାତରେ ମୋବାଇଲ ଥିଲେ ବି ଟେଲିଫୋନ ସେବା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ହୋଇପାରି ନାହିଁ। ସେହିପରି ମୋବାଇଲ ଚାର୍ଜ କରିବା ମଧ୍ୟ ଅନେକଙ୍କ ପାଇଁ ବଡ଼ ସମସ୍ୟା ହୋଇଛି। ୨୦ ତାରିଖ ସୁଦ୍ଧା ପୁରୀ ସହରକୁ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ୍ ଯୋଗାଣ ହେବ ବୋଲି ସରକାର କହିଥିଲେ। ଆଶା ଥିଲା ଟିଭିରେ ନିର୍ବାଚନ ଫଳାଫଳ ଦେଖିବା ପାଇଁ କିନ୍ତୁ ଏ ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇ ନ ଥିବା ବେଳେ କେବୁଲ ତାର ବି ଲାଗିପାରି ନାହିଁ। ଭୋଟ ଫଳାଫଳ ଦେଖିବା ଲାଗି ମନରେ ଉତ୍କଣ୍ଠା ଥିଲେ ମଧ୍ୟ ଜିଲ୍ଲାବାସୀଙ୍କୁ ନିରାଶ ହେବାକୁ ପଡିବ ।