ନୂଆଦିଲ୍ଲୀ,୧୨/୪: ବିଶ୍ୱର ଅନେକ ନେତା ନିଜର ଫେସବୁକ ପେଜକୁ ପ୍ରମୋଟ କରିବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନା କୌଣସି ଖର୍ଚ୍ଚରେ ଫେସବୁକରେ ବିଶ୍ୱ ନେତାଙ୍କ ମଧ୍ୟରେ ଟପ୍ ୧ ହୋଇଯାଇଛନ୍ତି । ୨୦୧୯ ୱାର୍ଲ୍ଡ ଲିଡର୍ସ ଅନ୍ ଫେସବୁକ ନାମକ ଜାରି ହୋଇଥିବା ଏକ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି ।
ଏହି ରିପୋର୍ଟ ‘ଟ୍ୱିପ୍ଲୋମେସୀ’ ଷ୍ଟଡିର ଏକ ଅଂଶ ବିଶେଷ ଯାହାକୁ ପ୍ରତ୍ୟେକ ବର୍ଷ ବିଶ୍ୱର ଜଣାଶୁଣା ସଂଚାର ଏଜେନ୍ସି ବିସିଡବ୍ଲ୍ୟୁ ପ୍ରସ୍ତୁତ କରିଥାଏ । ଏହି ତାଲିକାର ଦ୍ୱିତୀୟରେ ରହିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବ୍ରାଜିଲର ନୂତନ ରାଷ୍ଟ୍ରପତି ଜାୟର ବୋଲ୍ସୋନାରେ ଫେସବୁକରେ ସବୁଠାରୁ ଅଧିକ ଏନ୍ଗେଜ ନେତା ବୋଲି ଜଣାପଡିଛନ୍ତି ।
ଫେସବୁକର ‘କ୍ରାଉଡଟୈଂଗଲ’ଟୁଲ ସହଯୋଗରେ ୯୬୨ ଫେସବୁକ ପେଜ୍ଗୁଡିକର ଆକ୍ଟିଭିଟିର ବିଶ୍ଲେଷଣ କରାଯାଇଥିଲା । ଏହି ପେଜ୍ଗୁଡିକ ଏଭଳି ଲୋକମାନଙ୍କର ଥିଲା, ଯେଉଁମାନେ କୌଣସି ଦେଶର ମୁଖ୍ୟ କିମ୍ୱା ସରକାରରେ ସାମିଲ ଅଛନ୍ତି ।
୧-ନରେନ୍ଦ୍ର ମୋଦି- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ଫେସବୁକ୍ ପେଜରେ ୪.୩୫ କୋଟି ଲାଇକ୍ସ ରହିଥିବା ବେଳେ ତାଙ୍କ ଅଫିସିଆଲ ପେଜକୁ ୧.୩୭ କୋଟି ଲାଇକ ମିଳିଛି ।
୨-ଡୋନାଲ୍ଡ ଟ୍ରମ୍ପ- ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କୁ ତାଙ୍କ ନିଜ ପେସବୁକ ପେଜରେ ୨.୩୦ କୋଟି ଲାଇକ ମିଳିଛି । ତାଙ୍କ ପେଜରେ ଲୋକମାନଙ୍କ ସହିତ ସେୟାର କରାଯାଇଥିବା ସମ୍ବାଦ ସଂଖ୍ୟା ୮.୪୦ କୋଟି ଅଟେ ।
୩-କ୍ୱିନ ରାନିଆ- ଜୋର୍ଡାନର ସୁଲତାନ ଅବଦିଲ୍ଲାଙ୍କ ପତ୍ନୀ ୧.୬୯ କୋଟି ଲାଇକ ସହିତ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ଫେସବୁକ ବ୍ୟତୀତ ଟ୍ୱିଟର, ଇଂଷ୍ଟାଗ୍ରାମ ଓ ୟୁଟ୍ୟୁବରେ ଆକାଉଣ୍ଟ ରହିଛି ।