ବଦଳିଲା ଲୋକସଭାର ସିଟ , ମୋଦୀଙ୍କ ପାଖରେ ରାଜନାଥ, ସୁଷମାଙ୍କ ଆସନରେ ଶାହା

0

ନୂଆଦିଲ୍ଲୀ,୧୭/୬: ସଂସଦରେ ସୋମବାର ୧୭ତମ ଲୋକସଭାର ପ୍ରଥମ ଦିନର ଦୃଶ୍ୟ କିଛି ବଦଳିଥିବା ନଜର ଆସିଛି। କିଛି ଚେହେରା ନୂଆ ଥିବା ବେଳେ କିଛି ବରିଷ୍ଠ ନେତାଙ୍କ ଚେହେରା ଗାଏବ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ନିର୍ବାଚିତ ସମସ୍ତ ସାଂସଦ ୧୭ତମ ଲୋକସଭାର ପ୍ରଥମ ଦିନରେ ପଦ ଓ ଗୋପନୀୟତାର ଶପଥ ପାଠ ନେଇଛନ୍ତି। ଲୋକସଭାରେ ମୋଦୀଙ୍କ ଶପଥ ଗ୍ରହଣ ସମୟରେ ବିଜେପି ସାଂସଦ ଉତ୍ସାହର ସହିତ ‘ମୋଦୀ-ମୋଦୀ’ ଓ ‘ଭାରତ ମାତା କି ଜୟ ନାରା’ ଲଗାଉଥିବା ନଜର ଆସିଥିଲେ।

ଶପଥ ଗ୍ରହଣ ସହିତ ଅନେକ ନୂତନ ଚେହେରା ସଂସଦରେ ଉପସ୍ଥିତ ଥିଲେ ଏବଂ ସେମାନଙ୍କର ନୂତନ ଜାଗା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଅମିତ୍ ଶାହାଙ୍କୁ ଗୃହମନ୍ତ୍ରୀ କରାଯିବା ପରେ ଏମିତି କଳ୍ପନା ଜଳ୍ପନା ଲାଗି ରହିଥିଲା ଯେ ଶାହାଙ୍କୁ ହିଁ ସରକାରରେ ନମ୍ବର ୨ ମାନ୍ୟତା ମିଳିପାରେ। ମାତ୍ର ସବୁ କଳ୍ପନା ଜଳ୍ପନା ଉପରେ ଆଜି ବିରାମ ଲାଗିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହିଁ ସରକାରର ନମ୍ବର ୨ ରହିବେ, ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ପାଖ ସିଟ୍ ମିଳିଛି। ଉଲ୍ଲେଖଯୋଗ୍ୟ, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ସୁଷମା ସ୍ଵରାଜ, ମୁରଲୀ ମନୋହର ଯୋଶୀ, ଗତ ଲୋକସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା, ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଦି କିଛି ନେତା ଯେଉଁମାନେ ଏହି ଲୋକସଭାର ଆଉ ଅଂଶ ନାହାନ୍ତି।

ଗତ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା ସୁଷମା ସ୍ଵରାଜ ଏଥର ଲୋକସଭା ନିର୍ବାଚନ ଲଢି ନାହାନ୍ତି। ସୁଷମା ଯେଉଁ ସିଟରେ ବସୁଥିଲେ ସେହି ସ୍ଥାନ ଅମିତ୍ ଶାହାଙ୍କୁ ମିଳିଛି। ଗତ ଲୋକସଭାରେ ଯେଉଁ ସିଟରେ ଲାଲକୃଷ୍ଣ ଆଡଭାନୀ ବସୁଥିଲେ ସେଠି ରାଜସ୍ଥାନର ସାଂସଦ ଥାଓ୍ଵରଚାନ୍ଦ ଗେହଲଟଙ୍କୁ ମିଳିଛି। । ଏହା ବ୍ୟତୀତ ପ୍ରଥମ ଧାଡିରେ ନୀତିନ ଗଡକରୀ, ସଦାନନ୍ଦ ଗୌଡ଼ା, ରବିଶଙ୍କର ପ୍ରସାଦ, ନରେନ୍ଦ୍ର ସିଂହ ତୋମାର ଓ ହରସିମରତ କୌରଙ୍କୁ ସିଟ୍ ମିଳିଛି। ପରମ୍ପରା ଅନୁସାରେ ସର୍ବ ପ୍ରଥମେ ପ୍ରଧାନମନ୍ତ୍ରୀ ଶପଥ ନେଇଥିଲେ। ପିଏମ ମୋଦୀ ଯେବେ ଶପଥ ନେବାକୁ ଆସିଲେ ସେହି ସମୟରେ ବିଜେପିର ସାଂସଦମାନେ ଟେବୁଲ ବାଡେଇ ମୋଦୀ-ମୋଦୀ ନାରାରେ ତାଙ୍କୁ ସ୍ଵାଗତ କରିଥିଲେ।

Leave A Reply

Your email address will not be published.