ବନ୍ଧା ହେଲେ ଗୋଲ୍ଡେନ୍‌ ବାବା

0

ଭୁବନେଶ୍ୱର,୧ା୧ : ଫାଇନାନ୍ସ କରାଇ ଦେବାକୁ କହି କେତେକ କମ୍ପାନୀ ଓ ଲୋକଙ୍କଠାରୁ ବହୁ କୋଟି ଟଙ୍କା ଠକି ନେଇ ଫେରାର ଥିବା ବାବା ଶେଷରେ ପୋଲିସ ହାତରେ ଧରାପଡିଛନ୍ତି। ସୋମବାର ଚନ୍ଦ୍ରଶେଖରପୁର ଥାନା ପୋଲିସ ତାଙ୍କୁ ଗିରଫ କରିଛି। ସେ ହେଲେ ଗୋଲ୍ଡେନ ବାବା ନାମରେ ପରିଚିତ ଜ୍ୟୋତିରଞ୍ଜନ ବେଉରା। ପୋଲିସ ଆଇପିସି ଦଫା ୪୬୭, ୪୬୮, ୪୭୧, ୪୨୦, ୫୧୧ରେ ମାମଲା (ନଂ.୫୦୩/୧୮) ରୁଜୁ କରି ତାଙ୍କୁ କୋର୍ଟଚାଲାଣ କରିଛି।

ପୋଲିସର ସୂଚନା ଅନୁଯାୟୀ, ଗୋଲ୍ଡେନ ବାବାଙ୍କ ନାମରେ ୭ଟି ମାମଲା ରହିଛି। ସେ ଏମ୍‌ଏସ୍‌ ନ୍ୟାଶନାଲ ଏଣ୍ଟରପ୍ରାଇଜେସ୍‌ ନାମକ ଏକ ମାଇନ୍ସ କମ୍ପାନୀକୁ ୧୧୦ କୋଟି ଟଙ୍କା ଫାଇନାନ୍ସ କରାଇ ଦେବାର ଲୋଭ ଦେଖାଇ ଅଗ୍ରିମ ଆକାରରେ ୧୨ଟି ଚେକ୍‌ ଆଣିଥିଲେ। ପ୍ରତି ଚେକ୍‌ର ମୂଲ୍ୟ ୧୨.୪ କୋଟି ଟଙ୍କା। ଧାର୍ଯ୍ୟ ସମୟ ପୂର୍ବରୁ ବାବା ଏକ ଚେକ୍‌ର ତାରିଖ ବଦଳାଇ ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ନେଇଥିଲେ। ଜଣେ ବାବା ନିୟମିତ ବହୁ ପରିମାଣର ଟଙ୍କା ଉଠାଉଥିବାରୁ ବ୍ୟାଙ୍କ୍‌ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା। ସୂଚନା ପାଇ କମ୍ପାନୀ କର୍ତ୍ତୃପକ୍ଷ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତାଙ୍କ ନାମରେ ମାମଲା ରୁଜୁ କରିଥିବା ଜାଣିବା ପରେ ଗୋଲ୍ଡଡେନ୍‌ ବାବା ଦିଲ୍ଲୀ ଫେରାର ଥିଲେ। ପୋଲିସ ତାଙ୍କ ଉପରେ ନଜର ରଖିଥିବାବେଳେ ରବିବାର ରାତିରେ ସେ କଳାରାହାଙ୍ଗସ୍ଥିତ ତାଙ୍କ ଘରକୁ ଆସିଥିବା ସୂଚନା ମିଳିଥିଲା। ଭୋର୍‌ ସମୟରେ ପୋଲିସ ସେଠାରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ବାବାଙ୍କର ୪ଟି ଦାମୀ କାର ଓ ଦୁଇଟି ବିଳାସପୂର୍ଣ୍ଣ ଘର ରହିଛି। ପୋଲିସ କଳାରାହାଙ୍ଗ ଓ ନିଳାଦ୍ରିବହାରସ୍ଥିିତ ତାଙ୍କ ଘରକୁ ଯାଞ୍ଚ କରିବା ସହ ଜେରାବେଳେ ବହୁ ତଥ୍ୟ ପାଇଛି। ତାଙ୍କର ବହୁ ମନ୍ତ୍ରୀ ଓ ନେତାଙ୍କ ସହ ସମ୍ପର୍କ ରହିଛି। ସେମାନଙ୍କ ଛତ୍ରଛାୟା ତଳେ ରହି ଏହି ବଡ଼ ବଡ଼ ଠକେଇ କରୁଥିବା ଜଣାପଡିଛି। ଅନ୍ୟପକ୍ଷରେ ବାବା ଗିରଫ ହୋଇଥିବା ଖବରପାଇ ଟଙ୍କା ଦେଇଥିବା ଏକାଧିକ କମ୍ପାନୀ ଓ ବ୍ୟକ୍ତି ଚନ୍ଦ୍ରଶେଖରପୁର ଥାନାରେ ଭିଡ଼ ଜମାଇଥିଲେ। ବାବାଙ୍କ ନାମରେ ଅଭିଯୋଗ ସଂଖ୍ୟା ବଢ଼ି ଚାଲିଥିବା ଚନ୍ଦ୍ରଶେଖରପୁର ପୋଲିସ କହିଛି।

Leave A Reply

Your email address will not be published.