ବନ୍ଧୁକଚାଳନା ବିଶ୍ବକପ୍‌: ଭାରତକୁ ୩ ସ୍ବର୍ଣ୍ଣ, ୧ ଅଲିମ୍ପିକ୍‌ ଟିକେଟ

0

ନୂଆଦିଲ୍ଲୀ,୨୮/୨: ଏଠାରେ ଚାଲିଥିବା ବନ୍ଧୁକଚାଳନା ବିଶ୍ବକପ୍‌ରେ ଭାରତ ମୋଟ ୩ ସ୍ବର୍ଣ୍ଣ ପଦକ ସହ ଅଭିଯାନ ଶେଷ କରିଥିଲା ବେଳେ ଗୋଟିଏ ଅଲିମ୍ପିକ୍ ଟିକେଟ ହାସଲ କରିଛି। ବୁଧବାର ଯୁଗ ଯୋଡ଼ି ମନୁ ଭାକେର୍‌ ଓ ସୌରଭ ଚୌଧୁରୀ ୧୦ ମିଟର ଏଆର ପିସ୍ତଲ ମିଶ୍ରିତ ଦଳ ସ୍ବର୍ଣ୍ଣ ପଦକ କରାୟତ ସାଙ୍ଗକୁ ଭାରତର ଅଭିଯାନ ଶେଷ କରିଥିଲେ। ଫଳରେ ଚଳିତ ବିଶ୍ବକପ୍‌ରେ ଭାରତର ମୋଟ ପଦକ ସଂଖ୍ୟା ୩ (ସ୍ବର୍ଣ୍ଣ)ରେ ପହଞ୍ଚିଥିଲା। ହେଲେ ଏହି ବିଶ୍ବକପ୍‌ରୁ ଭାରତକୁ ମାତ୍ର ଗୋଟିଏ ଅଲିମ୍ପିକ୍‌ ଟିକେଟ ମିଳିଛି। ଏହି ଟିକେଟ ପୁରୁଷ ୧୦ ମିଟର ଏୟାର ପିସ୍ତଲ ବର୍ଗରୁ ସୌରଭ ଚୌଧୁରୀ ହିଁ ହାସଲ କରିଛନ୍ତି। ଏଥି ସହିତ ସୌରଭ ମଧ୍ୟ ବ୍ୟକ୍ତିଗତ ଭା‌ବେ ଏହି ବିଶ୍ବକପ୍‌ରୁ ୨ ସ୍ବର୍ଣ୍ଣ ଜିତିଛନ୍ତି। ଭାରତର ପ୍ରଥମ ସ୍ବର୍ଣ୍ଣ ଅପୂର୍ବୀ ଚାନ୍ଦିଲା (ମହିଳା ୧୦ ମିଟର ଏୟାର ରାଇଫଲ୍‌) ଜିତିଥିଲା ବେଳେ ଗତବର୍ଷ ଅଞ୍ଜୁମ୍‌ ମୁଦ୍‌ଗିଲ୍‌ ଅଲିମ୍ପିକ୍‌ ଟିକେଟ ହାତେଇଥିଲେ। ମୋଟ ୬୦ ଦେଶ ଅଂଶଗ୍ରହଣ କରିଥିବା ଚଳିତ ବିଶ୍ବକପ୍‌ରୁ ୩ ସ୍ବର୍ଣ୍ଣ ପାଇଥିବା ଆୟୋଜକ ଭାରତ ମଧ୍ୟ ହଙ୍ଗେରି (୩ ସ୍ବର୍ଣ୍ଣ) ସହ ଯୁଗ୍ମ ଭାବେ ପଦକ ତାଲିକାର ଶୀର୍ଷରେ ଅଭିଯାନ ଶେଷ କରିଛି। ଚୀନ୍‌ ସର୍ବାଧିକ ୧୦ ପଦକ ଜିତିଥିଲେ ମଧ୍ୟ ସ୍ବର୍ଣ୍ଣ ବ୍ୟବଧାନରେ ତୃତୀୟ ସ୍ଥାନ ପାଇଛି। ଚୀନ୍‌ କେବଳ ଗୋଟିଏ ସ୍ବର୍ଣ୍ଣ ପଦକ ଜିତିଥିଲା। ଏହା ବ୍ୟତୀତ ଚୀନ୍‌ ୬ ରୌପ୍ୟ ଓ ୩ କାଂସ୍ୟ କରାୟତ କରିଛି। ହେଲେ ଚୀନ୍‌ ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍‌ ପାଇଁ ୫ ଟିକେଟ ହାତେଇ ନେଇଛି।

Leave A Reply

Your email address will not be published.