ବାପା-ମା’ ଆଖି ଆଗରେ ବସ ଚକା ତଳେ ଚାଲିଗଲା ୫ ବର୍ଷିଅ ଶିଶୁର ଜୀବନ

ବ୍ରହ୍ମପୁର,୨୩/୧୧: ବାପା-ମା’ ଆଖି ଆଗରେ ବସ ଚକା ତଳେ ୫ ବର୍ଷିଅ ଶିଶୁର ଜୀବନ ଚାଲିଯିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜିତ ଲୋକେ ଶିଶୁର ମୃତଦେହ ରଖି ରାସ୍ତାରୋକ କରିଛନ୍ତି। ଗଞ୍ଜାମ ଜିଲ୍ଲାର କେ. ନୂଆଗାଁ ଥାନା ଅନ୍ତର୍ଗତ ବାଉଣୀ ଛକ ନିକଟରେ ଶନିବାର ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ କେ. ନୂଆଗାଁ ଥାନା ଭ୍ରମରପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ଜିତେନ୍ଦ୍ର ସାହୁ ଆଜି ନିଜର ୫ ବର୍ଷିଅ ଅସୁସ୍ଥ ଶିଶୁ ସିଲୁକୁ ନେଇ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍‌ପିଟାଲକୁ ନେଇକି ଯାଇଥିଲେ। ଡାକ୍ତରଙ୍କୁ ଦେଖାଇବା ପରେ ଜିତେନ୍ଦ୍ର ଓ ତାଙ୍କର ସ୍ତ୍ରୀ ନିଜ ପିଲାକୁ ନେଇ ଏକ ଘରୋଇ ବସରେ ଘରକୁ ଫେରୁଥିଲେ। ବସ୍‌ ବାଉଣୀଛକରେ ପହଂଚିବା ପରେ ଅବହେଳା ବଶତଃ ସିଲୁ ତଳକୁ ଓହ୍ଲାଇ ଥିଲା। ତେଣୁ ବସ୍‌ଟି ତା’ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସିଲୁର ମୃତ୍ୟୁ ଘଟିଥିଲା।

ଶିଶୁର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚିବା ପୂର୍ବରୁ କ୍ଷତିପୂରଣ ଦାବିରେ ଲୋକେ ମୃତଦେହ ରଖି ରାସ୍ତାରୋକ କରିଥିଲେ। ପୁଲିସ ସମସ୍ତଙ୍କୁ ବୁଝାଇବା ପରେ ଯାତାୟତ ସ୍ୱାଭାବିକ ହୋଇଛି।