ଭୁବନେଶ୍ୱର,୨୬/୧୨: ଆଜି ବିଜୁ ଜନତା ଦଳ ତାର ୨୧ତମ ପ୍ରତିଷ୍ଠା ଦିନ ପାଳନ କରିଛି । ବିଜେଡି ରାଜ୍ୟ କାର୍ଯ୍ୟାଳୟ ପରିସରରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଓ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହିତ ଆଗାମୀ ନିର୍ବାଚନରେ ବିରୋଧୀ ଦଳଗୁଡ଼ିକର ଅପପ୍ରଚାରକୁ ରୋକିବା ପାଇଁ କର୍ମୀମାନଙ୍କ କାନରେ ମନ୍ତ୍ର ଫୁଙ୍କିଛନ୍ତି। କେବଳ ସେତିକି ନୁହେଁ, ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।
ଏହାସହିତ ଓଡ଼ିଶା ପ୍ରତି ଅବହେଳାର ୯ଟି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଟାଗେର୍ଟ କରିଥିଲେ। ତେବେ ଦୁଇ ଦିନ ପୂର୍ବରୁ ଓଡ଼ିଶା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ଟାଗେର୍ଟ କରି ପଚାରିଥିବା ୮ଟି ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ନବୀନ ଓଲଟା କେନ୍ଦ୍ର ସରକାରଙ୍କ ଅବହେଳାର ୯ଟି ପ୍ରସଙ୍ଗ ଉତଥାପନ କରିଛନ୍ତି। ଏହି ୯ଟି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ସଫଳତା ବୋଲି କଟାକ୍ଷି କରିବା ସହ ଘରେ ଘରେ ପହଞ୍ଚାଇବାକୁ ଆହ୍ବାନ କରିଥିଲେ। ଏସବୁ ପ୍ରଶ୍ନର ଜବାବ ଓଡ଼ିଶା ମାଗୁଛି ବୋଲି ନବୀନ କହିଛନ୍ତି। ନବୀନ ଭାଷାରେ କେନ୍ଦ୍ର ସରକାରଙ୍କ ୯ଟି ବିଫଳତା ହେଲା..
୧. ରାଜପଥ: ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ, କୋଷ୍ଟାଲ ହାଇୱେ କେବେ ହେବ?
୨. ଟେଲିକମ୍: ଗଛ ଉପରେ ଚଢ଼ିଲେ ଆସୁଛି ନେଟୱର୍କ, କେବେ ଗାଁରେ ପହଞ୍ଚିବ ଟେଲିକମ ନେଟୱର୍କ ?
୩. ରେଲବାଇ: ରେଳବାଇରେ ଉନ୍ନତି କେବଳ ପ୍ଲାଟଫର୍ମ ଟିକେଟ ଆସିଛି। ଟିକେଟ ଦର ବୃଦ୍ଧି ପାଇଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳବାଇ ଇତିହାସରେ ରହିଲା ଭଳି ଲାଗୁଛି।
୪. ବ୍ୟାଙ୍କିଂ: ବ୍ୟାଙ୍କ ସୁବିଧା ନାହିଁ।
୫. କୋଇଲା ନିଲାମ: କୋଇଲା ବ୍ଲକ୍ ନିଲାମ ହେଲେ ଓଡ଼ିଶା ୭୦ ହଜାର କୋଟି ଟଙ୍କା ପାଇବ ବୋଲି କହିଥିଲେ। ହେଲେ ୩ ବର୍ଷରେ ମାତ୍ର ୩୭୦ କୋଟି ଟଙ୍କା ମିଳିଛି।
୬. ଚାଷ: ଚାଷୀଙ୍କୁ ଠିକ୍ ସମୟରେ କ୍ଷତିପୂରଣ ମିଳିଲାନି। ଉଚିତ ମୂଲ୍ୟ ମିଳିଲାନି। ବେସରକାରୀ ବୀମା କମ୍ପାନୀ ଲାଭବାନ ହେଲେ।
୭. ଇସ୍ତାହାର: ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଏମ୍ଏସ୍ପି, ମହିଳାଙ୍କ ପାଇଁ ୩୩% ସଂରକ୍ଷଣ କିଛି ହେଲାନାହିଁ। ସାଢ଼େ ୪ ବର୍ଷ ବିତିଗଲାଣି।
୮. ଏସ୍ସି ଏସ୍ଟି ବିକାଶ: ଆଦିବାସୀ ଅଂଚଳର ବିକାଶ ପାଇଁ ଟଙ୍କା ବନ୍ଦ କରିଦେଲେ। ଗରିବ ଏସ୍ସିଏସ୍ଟି ଛାତ୍ରଛାତ୍ରୀଙ୍କ ବୃତ୍ତି ଅର୍ଥ ମଧ୍ୟ ଦେଲେନାହିଁ।
୯. ଉଜ୍ଜ୍ୱଳା: ବହୁତ ପ୍ରଚାର ହେଉଛି। ସବୁଆଡ଼େ ବଡ଼ବଡ଼ ହୋର୍ଡିଂ ଲାଗିଛି। ୪୦ ଲକ୍ଷ ମହିଳାଙ୍କୁ ଗ୍ୟାସ୍ କନେକ୍ସନ ଦିଆଗଲା ବୋଲି କୁହାଗଲା, ହେଲେ କେତେଜଣ ରିଫିଲ୍ କଲେ? ଗ୍ୟାସ୍ ଦର କେତେ ଆପଣମାନେ ଜାଣନ୍ତି।
ସେହିପରି ଉଜ୍ୱଳା ଯୋଜନାକୁ ସମାଲୋଚନା କରିବା ସହିତ ବିଜେପିର ‘ଜବାବ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ’କୁ ମଧ୍ୟ ବେଶ୍ କଡ଼ା ଭାଷାରେ ସମାେଲୋଚନା କରିଥିଲେ ଶ୍ରୀ ପଟ୍ଟନାୟକ । ସେ କହିଥଲେ, ମହାନ ନେତା ବିଜୁବାବୁଙ୍କ କହିବା ଅନୁଯାୟୀ, ଓଡ଼ିଶା ଟଙ୍କାରେ ଓଡ଼ିଶାର ବିକାଶ କରାଯାଇ ପାରିବ। ଉଭୟ କଂଗ୍ରେସ ଓ ବିଜେପି ଭଳି ଜାତୀୟ ଦଳର ଓଡ଼ିଶା ପ୍ରତି କୌଣସି ଦରଦ ନାହିଁ । ସେମାନେ କେବଳ ବଡ଼ବଡ଼ କଥା କହୁଛନ୍ତି ବୋଲିି ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।
ସେହିପରି ପୂର୍ବରୁ ଶ୍ରୀ ପଟ୍ଟନାୟକ ବିଜେଡ଼ିକୁ ଦଳୀୟ ବିଧାୟକ, ସାଂସଦମାନେ ଗୋଟିଏ ମାସର ଦରମା ପ୍ରଦାନ ପାଇଁ ଆହ୍ଵାନ ଦେଇଥିଲେ। ତେଣୁ ବିଜେଡ଼ିର ଏହି ୨୧ତମ ପ୍ରତିଷ୍ଠା ଦିବସ ଅବସରରେ ବିଧାୟକ, ସାଂସଦମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତିରେ ସେମାନଙ୍କ ଗୋଟିଏ ମାସର ଦରମା ଚେକ୍ ଆକାରରେ ଦଳୀୟ ପାଣ୍ଠିକୁ ଦାନ କରିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଢେ ଚାରିବର୍ଷରେ ୧୮ଲକ୍ଷ ପକ୍କା ଘର ନର୍ମାଣ, ବସ୍ତି ବାସିନ୍ଦାଙ୍କୁ ଜମି ସ୍ୱତ୍ତ୍ୱାଧିକାର, କୃଷକଙ୍କ ରୋଜଗାର ବୃଦ୍ଧି, ୧୦ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ,୨୨ ହଜାର ୫୦୦ କିଲୋମିଟର ଗ୍ରାମ୍ୟ ରାସ୍ତା ନିର୍ମାଣ, ୬୦୦ ସେତୁ ନିର୍ମାଣ, ୪ଟି ନୂଆ ମେଡିକାଲ କଲେଜ, ମମତା ଯୋଜନାରେ ୩୦ଲକ୍ଷ ମହିଳାଙ୍କୁ ସାମିଲ, ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ଓଡ଼ିଆ ଭାଷାର ବିକାଶ ପାଇଁ ସରକାରୀ ଉଦ୍ୟମ ଆଦି ବିଭିନ୍ନ ସଫଳତାର କାହାଣୀ ଯେପରି ଲୋକଙ୍କ ପାଖରେ ପହଞ୍ଚିବ ସେ ସମ୍ପର୍କରେ ବିଜେଡ଼ି କର୍ମୀମାନଙ୍କୁ ସଚେତନ ହେବାକୁ କହିଥିଲେ। ସେହିପରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କ୍ଷେତ୍ରରେ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ମଧ୍ୟ ଜନସଚେତନତା ସୃଷ୍ଟି ଲାଗି ମଧ୍ୟ କୁହାଯାଇଛି।
ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା କିମ୍ବା ସ୍ପେଶାଲ ପ୍ୟାକେଜ ଓଡ଼ିଶା ଚାହୁଁନି, କେନ୍ଦ୍ର ସରକାର ଓଡ଼ିଶାକୁ କେବଳ ‘ଆର୍ଥିକ ସ୍ୱାତନ୍ତ୍ରତା’ ବା ‘ଫାଇନାନ୍ସିଆଲ୍ ଅଟୋନୋମି’ ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଥିଲେ। ଏହି ସମାରୋହରେ ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ