ଭୁବନେଶ୍ୱର,୯/୨: ସାଧାରଣ ନିର୍ବାଚନ ପୂର୍ବରୁ ସାଧାରଣ ଭୋଟରଙ୍କ ନିକଟତର ହେବା ପାଇଁ ବିଜେପି ସମସ୍ତଙ୍କୁ ଜମି ପଟ୍ଟା ସହ ପକ୍କାଘର ଓ ରୋଜଗାର ଯୋଗାଇ ଦେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛି। ଆଜି ଦଳ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ପ୍ରତିଶ୍ରୁତି ସମାବେଶରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ସ୍ଥାୟୀ ପଟ୍ଟା,ପକ୍କାଘର ଓ ରୋଜଗାର ଆବେଦନ ଫର୍ମକୁ ଶୁଭାରମ୍ଭ କରି କହିଛନ୍ତି ଯେ, ରାଜ୍ୟରେ ଆଜି ୨୦ ଲକ୍ଷ ଲୋକଙ୍କର ଜମି ପଟ୍ଟା ନାହିଁ। ଭୂମିହୀନ ହୋଇଥିବାରୁ ସେମାନେ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ। ସେହିପରି ୩୦ ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ଛାତ ନାହିଁ। ନବୀନ ସରକାରଙ୍କ ୧୯ ବର୍ଷ ଶାସନରେ ସାଧାରଣ ଗରିବ ଲୋକମାନଙ୍କର ଏହି ମୌଳିକ ସୁବିଧାରୁ ଏ ସରକାର ବଞ୍ଚିତ କରିଆସିଛି । ରାଜ୍ୟରେ ଯୁବକ ଯୁବତୀମାନଙ୍କ ଆଗରେ ବେରୋଜଗାର ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଗାଁ ଗାଁରେ ଆଜି ଯୁବକମାନେ ବେକାରୀ ହୋଇ ହତାଶ ଭାବେ ବସିଛନ୍ତି।
ବିଜେଡି ସରକାର ରାଜ୍ୟରେ ଏକ ଲମ୍ବା ସମୟ ପାଇଁ କ୍ଷମତାରେ ଥାଇବି ଓଡ଼ିଆ ପିଲାମାନଙ୍କୁ ନିଯୁକ୍ତି ଯୋଗାଇ ଦେଇପାରିଲେନି। ରାଜ୍ୟରେ ବିଜେପି ସରକାରକୁ ଆସିଲେ ଗରିବ ଲୋକଙ୍କୁ ପଟ୍ଟାସହ ପକ୍କାଘର ଓ ବେରୋଜଗାରକୁ ରୋଜଗାର ନିଶ୍ଚିତ ଦିଆଯିବ ସେ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାରେ ୨୦୨୨ ସୁଦ୍ଧା ଜଣେ ବି ଲୋକ ରହିବ ନାହିଁ, ଯା’ ଘରେ କି ସ୍ଥାୟୀ ପଟ୍ଟା ସହ ପକ୍କା ଘର ନଥିବ। ପ୍ରତିଟି ଓଡ଼ିଆ ଯୁବକ ଯୁବତୀକୁ ରୋଜଗାର ଯୋଗାଇବା ବିଜେପି ସରକାରର ପ୍ରାଥମିକ ଦାୟିତ୍ୱ ହେବା ସହ ନିଯୁକ୍ତି ଓ ଆତ୍ମନିଯୁକ୍ତି ଯୋଗାଇ ଦିଆଯିବ। ଏହି ପ୍ରତିଶ୍ରୁତି ଆବେଦନ ଫର୍ମକୁ ଦଳ ପ୍ରତି ବୁଥରେ ପହଞ୍ଚାଇବ। ବେରୋଜଗାର ଯୁବକ ଯୁବତୀମାନେ, ପଟ୍ଟା ଆଉ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀମାନେ ଏହାକୁ ପୂରଣ କରି ପଠାଇବେ।