ଭୁବନେଶ୍ୱର,୧୪/୨: ବିଜେପି ଏବେ ଓଡ଼ିଶାରେ ଅତିକମରେ ୧୦ରୁ ୧୨ଟି ଲୋକସଭା ସିଟ୍ ହାତେଇବା ପାଇଁ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛି। ଦଳ ଏଥିପାଇଁ ନିଜର ପ୍ରସ୍ତୁତି ଜୋରଦାର କରିବା ସହ ପ୍ରାର୍ଥୀ ଚୟନ କାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦେଇଥିବା ସୂଚନା ମିଳିଛି। ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟର ଫଳାଫଳରେ ଉତ୍ସାହିତ ବିଜେପି ଏବେ ବିଧାନସଭା ତୁଳନାରେ ଅଧିକ ଲୋକସଭା ସିଟ୍ ଜିତିବା ଉପରେ ଧ୍ୟାନକେନ୍ଦ୍ରିତ କରିଛି। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଯେଉଁଠି ଦ୍ୱିତୀୟ ସ୍ଥାନରେ ରହିଥିଲା ସେହି ସିଟ୍ ସମେତ କଟକ ଓ ପୁରୀ ଲୋକସଭା ଆସନରେ ମଧ୍ୟ ନିଜର ସ୍ଥିତି ସୁଦୃଢ଼ କରିବାରେ ଲାଗିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ବିଜେପି ଏବେ ବାଲେଶ୍ୱର, ବରଗଡ଼, ସମ୍ବଲପୁର, ବଲାଙ୍ଗିର, ଢେଙ୍କାନାଳ, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ଭୁବନେଶ୍ୱର ସହିତ ସୁନ୍ଦରଗଡ଼, ଭଦ୍ରକ, କଟକ ଓ ପୁରୀ ସିଟକୁ ହାତେଇବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ଓ ବରିଷ୍ଠ ନେତାମାନଙ୍କୁ ମଧ୍ୟ ଏସବୁ ଆସନରେ ପ୍ରଚାର କରାଇବା ପାଇଁ ଆଣି ଦଳ ତୃଣମୂଳସ୍ତରରେ କର୍ମୀଙ୍କ ମନୋବଳକୁ ବୃଦ୍ଧି କରିବାରେ ଲାଗିଛି। ସେପଟେ ବିଜେପିର ସହଯୋଗୀ ସଂଗଠନଗୁଡ଼ିକ ମଧ୍ୟ ଏସବୁ ନିର୍ବାଚନମଣ୍ଡଳୀରେ ନିଜ ନିଜ ସ୍ତରରେ ସାଂଗଠନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଲାଗିଛନ୍ତି ।