ସୋନପୁର, ୬/୪: ଭାରତୀୟ ଜନତା ପାର୍ଟିର ସରକାର କେନ୍ଦ୍ର ଓ ଓଡିଶାରେ ହେଲେ କାମ କରୁଥିବା ଅସ୍ଥାୟୀ ସରକାରୀ କର୍ମଚାରୀ ଯଥା ହୋମଗାର୍ଡ, ପାରାଟିଚର, ପଂଚାୟତ ରୋଜଗାର ସହାୟକଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ସହ ସ୍ଥାୟୀ ଦରମା ଦିଆଯିବ । କେବିକେ ଅଂଚଳର ବିକାଶ କରାଯିବ ଏବଂ ଗରିବଙ୍କ ଚିକିତ୍ସା ସୁବିଧା ଦେବା ପାଇଁ ଏମଏସ ଭଳି ଅତ୍ୟାଧୁନିକ ମେଡିକାଲ ତିଆରି ଦିଆଯିବ । ୫ ବର୍ଷରେ ୧ ଲକ୍ଷ କୋଟି ଟଙ୍କା ଜଳସେଚନ ପାଇଁ ବ୍ୟବସ୍ଥା କରାଯିବା ସହ ଯୁବକଙ୍କ ରୋଜଗାର ଏବଂ ସ୍ୱରୋଜଗାର ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ସୁବର୍ଣ୍ଣପୁର ଜିଲ୍ଲା ସୋନପୁରରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି । ପୂର୍ବରୁ ବିଜେପି ସରକାରକୁ ଆସିଲେ ଅଙ୍ଗନବାଡୀ କର୍ମୀଙ୍କୁ ମାସିକ ୧୫ ହଜାର ଟଙ୍କା ଦରମା ମିଳିବ ବୋଲି ଶ୍ରୀ ପ୍ରଧାନ ଘୋଷଣା କରିଥିଲେ ।
ସୁବର୍ଣ୍ଣପୁର ଜିଲ୍ଲାରେ ପଇବା ପାଣି ପାଇପରେ ଆସୁନାହିଁ, ୨୪ ଘଂଟା ବିଜୁଳି ନାହିଁ, ଡାକ୍ତର ନାହାନ୍ତି, ଶିକ୍ଷକ ନାହାନ୍ତି, ଜଳ ସେଚନର ସୁବିଧା ନାହିଁ, ରୋଜଗାର ପାଇଁ ଯୁବକ ପଳାୟନ କରୁଛି, ଚାଷୀ ଉତ୍ପାଦିତ ଜନିଷର ସଠିକ୍ ମୂଲ୍ୟ ମିଳୁନାହିଁ । ଏହି ଅଂଚଳରେ ବିନା ପିସି କାରବାରରେ ସରକାରୀ କାମ ହୁଏ ନାହିଁ । ଅପାରଗ, ସ୍ଥାଣୁ, ଦୁର୍ନୀତିଗ୍ରସ୍ତ ସରକାର ଆଜି ରାଜ୍ୟର ଶାସନ ଦାୟିତ୍ୱରେ ଅଛି । ବିନିକା ବ୍ଲକ ସଂକରା ଗ୍ରାମର ୩୬ ବର୍ଷୀୟ ରବି ନାଇକ ଦାଦନ ଖଟିବାକୁ ବାହାରକୁ ଯାଇଥିବା ବେଳେ ଯୁବକର ବାପା ଥାନାର ଦ୍ୱାରସ୍ଥ ହୋଇଛି । ପୁଅର ମୁକ୍ତି ପାଇଁ ବାପା ଥାନାପିଣ୍ଡାରେ ପହଁଚିଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ଓଡିଶାରେ ୧୯ ବର୍ଷର ଶାସନ ବ୍ୟବସ୍ଥା କଥା କହୁଛନ୍ତି । ସେହିପରି ମହାତ୍ମାଗାନ୍ଧୀ ନିଶ୍ଚତ କର୍ମ ରୋଜଗାର ଯୋଜନାରେ ୧୦୦ ଦିନର କାମ ଦେବା ପାଇଁ ନିୟମ ଥିବା ବେଳେ ଜିଲ୍ଲାରେ ମାତ୍ର ୨୧ ଦିନର କାମ ଦିଆଯାଇଛି । ବିନିକା ଏନଏସିର ମଥୁର ହାତୀକୁ ଆବାସ ଯୋଜନା ଯୋଗ୍ୟତା ସତ୍ୱେ ମିଳିନଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କେନ୍ଦ୍ରରେ ୨୦୦୯ ରୁ ୧୪ କଂଗ୍ରେସ ସରକାର ସମୟରେ ଓଡିଶାକୁ ୪ ଲକ୍ଷ ୯୦ ହଜାର ଇନ୍ଦିରା ଆବାସ ଦେଆଯାଇଥିଲା । ମାତ୍ର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ୯ ଲକ୍ଷ ୨୦ ହଜାର ପକ୍କା ଘର ଦେଇଥିବା ବେଳେ ୮ ଲକ୍ଷ ଘର ସମ୍ପୂର୍ଣ୍ଣ ହେଲାଣିା ମୋଦିଙ୍କ ସରକାରରେ ୨୪ ଲକ୍ଷ ଲୋକଙ୍କ ଘରେ ବିଜୁଳିି ଲାଗିଥିବା ବେଳେ ୪୦ ଲକ୍ଷ ଗ୍ୟାସ ସିଲିଣ୍ଡର ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ପହଁଚିଛି, ଓଡିଶାରେ ୮ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ହୋଇଛି, ୫୦ ଲକ୍ଷ ଶୌଚାଳୟ ବନିଛି, ରେଳବାଇ ଅନୁଦାନ ୨୭ ହଜାର କୋଟି ଓଡିଶା ପାଇଁ ଦିଆଯାଇଛି, ୫ ହଜାର କିମିର ନୂଆ ଜାତୀୟ ରାଜପଥ, ସମ୍ବଲପୁରରେ ଆଇଆଇଏମ୍ ଭଳି ଜାତୀୟ ଶିକ୍ଷାନୁଷ୍ଠାନ ମୋଦି ଦେଇଛନ୍ତି ।