ବିଜେପୁରରେ ଆସନ୍ତକାଲି ମଇଦାନକୁ ଓହ୍ଲାଇବେ ତିନି ଦଳର ହେବିୱେଟ

ବରଗଡ଼,୧୬/୧୦ : ପୁଣି ଚାରିଆଡ଼େ ବିଜେପୁର ଉପନିର୍ବାଚନ ଚର୍ଚ୍ଚା । ବିଜେପୁର ଆସନ ପାଇଁ ଚାଲିଛି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ । ଆସନ ହାତେଇବାକୁ ଚାଲିଛି ଜୋରଦାର ପ୍ରଚାର । ବିଜେପୁରକୁ ଛୁଟୁଛି ମାଳମାଳ ନେତାଙ୍କ ସୁଅ । ଆସନ୍ତାକାଲି ପ୍ରଚାର ମଇଦାନକୁ ଓହ୍ଲାଇବେ ସବୁଦଳର ଷ୍ଟାର ପ୍ରଚାରକ । ଆସନ୍ତାକାଲି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଉମୁଣ୍ଡାରେ ରୋଡ଼ ଶୋ କରିବେ ।

ଧିରେ ଧିରେ ବିଜେପୁର ଉପନିର୍ବାଚନ ସରଗରମ ହେବାରେ ଲାଗିଛି । ଆସନ୍ତାକାଲି ବରଗଡ଼ ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ବିଜେପି ପକ୍ଷରୁ ବସନ୍ତ ପଣ୍ଡା ଓ ଅରୁଣ ସିଂ ପ୍ରଚାର ମଇଦାନକୁ ଓହ୍ଲାଇବେ । ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରରେ ନିର୍ବାଚନୀ ରାଲି କରି ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରିଛନ୍ତି ।

ଅନ୍ୟପକ୍ଷେ ବିଜେଡି ପକ୍ଷରୁ ମଧ୍ୟ ଜୋରସରରେ ପ୍ରଚାର ଚାଲିଛି । ଆଜି ବିଜେପୁର ବୁଡ଼ାପାଲିରେ ମନ୍ତ୍ରୀ ସୁଶାନ୍ତ ସିଂ ଓ ଅରୁଣ ସାହୁ ପ୍ରଚାର କରୁଥିବା ବେଳେ ଆସନ୍ତାକାଲି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଗସ୍ତ କରି ପ୍ରଚାର କରିବା ସହ ଲାଉମୁଣ୍ଡାରେ ରୋଡ଼ ଶୋ କରିବା କାର୍ଯ୍ୟକ୍ରମ ରହିଛି । ସେହିପରି କଂଗ୍ରେସ ମଧ୍ୟ ବିଜେପୁର ଆସନ ହାତେଇବା ପାଇର୍ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆସନ୍ତାକାଲି ତାଲପଦରରେ ନିରଞ୍ଜନ ପଟ୍ଟନାୟକ ଓ ନରସିଂହ ମିଶ୍ର ପ୍ରଚାର କରିବେ ।