ଭୁବନେଶ୍ୱର, ୬/୨: ଦ୍ୱିତୀୟ ଦିନ ପାଇଁ ସ୍ୱଳ୍ପକାଳୀନ ବଜେଟ୍ ଅଧିବେଶନର ପ୍ରଶ୍ନକାଳ ଚାଲି ପାରି ନାହିଁ । ଗୃହରେ ଶୋକ ପ୍ରସ୍ତାବ ପରେ ତିନି ପ୍ରମୁଖ ଦଳର ହଟ୍ଟଗୋଳରେ ଗୃହ କମ୍ପିଛି । ତେଣୁ ଗୃହ ଚଳାଇବା ଅସମ୍ଭବ ହେବାରୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଏକ ଘଣ୍ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ଆଜି ଗୃହରେ ସାଂସଦ ଲଡୁ କିଶୋର ସ୍ୱାଇଁ ଏବଂ ସ୍ୱାଧୀନତା ସଂଗ୍ରାମୀ ପ୍ରିୟନାଥ ଦେଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏବଂ ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି । ଲଡ଼ୁ କିଶୋର ଓ ପ୍ରିୟନାଥଙ୍କ ଉଦ୍ଦେଶ୍ୟରେ ଗୃହରେ ଶ୍ରଦ୍ଧାଞ୍ଜଳୀ ଜଣାଯିବା ସହିତ ଏକ ମିନିଟ୍ର ନିରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ବିଜେଡ଼ି, କଂଗ୍ରେସ ଓ ବିଜେପି ସଦସ୍ୟମାନେ ହୋହାଲ୍ଲା କରିଥିଲେ ।
ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପ୍ରଶ୍ନର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଉତ୍ତର ରଖୁଥିବା ବେଳେ ଆରମ୍ଭ ହୋଇଯାଇଥିଲା ହଟ୍ଟଗୋଳ । ରେମୁଣା ଜମିହରା ଓ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗକୁ ନେଇ ବିଜେପି ସଦସ୍ୟ ହଙ୍ଗାମା କରିଥିଲେ । ସେହିପରି ଆଜିବି ଚାଷୀ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ସରକାରଙ୍କୁ ଘେରିଥିଲେ । ସେପଟେ ଦୁଇଟି ପ୍ରସଙ୍ଗରୁ ନିଜକୁ ବଞ୍ଚାଇବାକୁ ଯାଇ ଚିରାଚରିତ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଫଣ୍ଡା ଆପଣାଇଥିଲା ବିଜେଡ଼ି । ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିରେ ବିଜେଡି ସଦସ୍ୟମାନେ କେନ୍ଦ୍ର ବିରୋଧରା ନାରାବାଜି କରିଥିଲେ । ତିନି ଦଳର ସଦସ୍ୟଙ୍କ ହଙ୍ଗାମାରେ କମ୍ପିଥିଲା ଗୃହ । ଫଳରେ ବାଚସ୍ପତି ଗୃହକୁ ଘଣ୍ଟାଏ ପାଇଁ ମୁଲତବି ଘୋଷଣା କରିଥିଲେ ।
ଏଠାରେ କହିରଖୁଛି ଯେ, ଚଳିତ ଅଧିବେଶନରେ ମାତ୍ର ୭ଟି କାର୍ଯ୍ୟ ଦିବସ ରହିଛି । ଗତକାଲି ବିଜେପି ଓ କଂଗ୍ରେସଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ବାରମ୍ବାର ମୁଲତବୀ ରହିଥିଲା । ଏହା ପରେ ଆଜି ବି ଆରମ୍ଭରୁ ସମାନ ଅବସ୍ଥା ଦେଖିବାକୁ ମିଳିଥିଲେ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପନ କରିବେ ।