ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତ : ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪/୫ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଆଜି ଦେହାନ୍ତ ହୋଇଛି । ୯୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଆଜି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗ ହୋଇଛି।

ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ମେ ମାସ ୧୧ ତାରିଖରେ ପୁରୀ ଜିଲ୍ଲାର ନିମାପଡ଼ାଠାରେ ଜନ୍ମ ହୋଇଥିଲେ। ସେ ମହାତ୍ମାଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ।

ସେ ତିନିଥର ସାଂସଦ ହୋଇଛନ୍ତି। ୧୯୬୧, ୧୯୬୬ ଏବଂ ୧୯୭୮ ମସିହାରେ ୩ ଥର ଲୋକସଭା ଏବଂ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିଛନ୍ତି। ୨୦୧୮ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ‘ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜଣେ ମହାନ ଗାନ୍ଧିବାଦୀ ଭାବେ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।