ଭୁବନେଶ୍ୱର, ୭/୧୨: ବିଶୃଙ୍ଖଳା ପାଇଁ ଶ୍ରୀକାନ୍ତ ଜେନାଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଯାଇଛି। ତାଙ୍କୁ ଶୃଙ୍ଖଳିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ଏବେଠୁ ନଚେତିଲେ ପରିଣାମ କ’ଣ ହେବ ଏବେଠୁ କହିବା ଅନୁଚିତ ବୋଲି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ପ୍ରକାଶ କରିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଶ୍ରୀକାନ୍ତ ଜେନା ଓ କୃଷ୍ଣ ଚନ୍ଦ୍ର ସାଗରିଆ ଦଳ ଭିତରେ ରହି ଯେଉଁଭଳି ଦଳ ବିରୋଧୀ ମନ୍ତବ୍ୟ ଦେଇ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଛନ୍ତି । ଏସମ୍ପର୍କରେ ଦଳର ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧିଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି । ହାଇକମାଣ୍ଡ ଯାହା ନିଷ୍ପତି ନେବେ ବୋଲି ସେ କହିଛନ୍ତି ।
ଅପରପକ୍ଷରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ସେମାନଙ୍କର ଆଚରଣକୁ ଯାଂଚ କରାଯିବ । ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଜେନାଙ୍କୁ ବିଦା କରାଯିବା ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ସେ ଜଣେ ଜ୍ଞାନୀ, ଗୁଣି ଓ ବରିଷ୍ଠ ନେତା ହେଲେ ମଧ୍ୟ ଯୁଗ ଉପଯୋଗୀ ପାଇଁ ତାଙ୍କ ଭଳି ଜ୍ଞାନୀ ଗଣେଶ୍ୱର ବେହେରାଙ୍କୁ ଏହି ଦାୟିତ୍ୱରେ ରଖାଯାଇଛି । ଶ୍ରୀ ବେହେରା ରାଜ୍ୟ ସାରା ବୁଲି କାମ କରିପାରିବେ ।
କଂଗ୍ରେସର ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ଶ୍ରୀ ଜେନା କଂଗ୍ରେସ ଦଳ ଖଣି ମାଫିଆଙ୍କ ଦଳ ବୋଲି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଠିକ୍ ନୁହେଁ । ଯିଏ ଏପରି କହୁଛି ସେ ଦଳ ଛାଡି ଚାଲି ଯିବା ଦରକାର । ଦଳ ଭିତରେ ତାଙ୍କୁ ଚକ୍ରାନ୍ତ ଜେନା ବୋଲି କୁହାଯାଏ । ବିଭିନ୍ନ ସମୟରେ ସେ ଦଳ ବିରୋଧୀ ମନ୍ତବ୍ୟ ଦେଇ କଂଗ୍ରେସର ବହୁ କ୍ଷତି କଲେଣି । ରାଷ୍ଟ୍ରୀୟ ସଭାପତି ଓ ରାଜ୍ୟ ସଭାପତି ଏହା ଉପରେ ବିଚାର କରିବା ଦରକାର । ଏହାକୁ ଗୁରୁତର ସହ ବିଚାର କରେିବା ଦରକାର । ଶ୍ରୀ ଜେନା ମନ୍ତ୍ରୀ ଥିବା ବେଳେ କଣ କରିଥିଲେ । ସେ ଆତ୍ମ ସମୀକ୍ଷା କରନ୍ତୁ । ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଶୃଙ୍ଖଳା କମିଟି ତାର ବିଚାର କରିବ ବୋଲି ସେ କହିଛନ୍ତି ।