ଲକ୍ଷ୍ନୌ, ୧୯/୧୨: ଉତ୍ତର ପ୍ରଦେଶର ବୁଲନ୍ଦସର ହିଂସା ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଗୋ ହତ୍ୟା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଦଙ୍ଗାକୁ ଉସକାଇବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି । ତେବେ ଏହି ଦଙ୍ଗାରେ ପ୍ରାଣ ହରାଇଥିବା ପୋଲିସ ଇନ୍ସପେକଫର ସୁବୋଧଙ୍କ ହତ୍ୟାକାରୀ ଏବଂ ହିଂସାର ମୁଖ୍ୟ ଆରୋପୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇପାରି ନାହିଁ । ସୁବୋଧଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବଜରଙ୍ଗ ଦଳର ନେତା ଯୋଗେଶ ରାଜ ଏବଂ ଶିଖର ଅଗ୍ରୱାଲକୁ ଏବେ ବି ଫେରାର ଅଛନ୍ତି । ତେବେ ଏ ଦୁହେଁ ଶୋସାଲ ମିଡିଆ ଏବଂ ଟିଭି ଚ୍ୟାନେଲରେ ଦେଖାଯାଉଥିବା କୁହାଯାଉଛି । ପୋଲିସ ଏହି ମାମଲାରେ ଏକ ପ୍ରେସ ରିଲିଜ ଜାରିକରି କହିଛି କି, ନଦୀମ, ରୟିସ ଓ କାଲାଙ୍କୁ ଗୋ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି । ଏହି ଆରୋପୀ ପ୍ରଥମେ ଗୋ ହତ୍ୟା କେରୁଥିଲେ ଏବଂ ତାକୁ ଖଣ୍ଡ ଖଣ୍ଡ କରି କାଟି ମାଂସ ନିଜ ମଧ୍ୟରେ ବାଣ୍ଟୁଥିଲେ । ଉତ୍ତର ପ୍ରଦେଶରେ ଗାଈମାନଙ୍କୁ ହତ୍ୟା କରିବା ପାଇଁ ଏକ ଗ୍ୟାଙ୍ଗ ଚାଲୁଛି । ସେହି ଗ୍ୟାଙ୍ଗରେ ଏହି ୩ ଜଣ ସଦସ୍ୟ ରହିଥିଲେଛ ଏମାନଙ୍କଠାରୁ ଗାଈମାନଙ୍କୁ ହତ୍ୟା କରିବା ପାଇଁ ବ୍ୟବହୃତ ବନ୍ଧୁକ ଏବଂ ଛୁରୀ ଜବତ କରାଯାଇଛି । ଅନ୍ୟ ପକ୍ଷରେ ଦଙ୍ଗାକୁ ଉସକାଇଥିବା ୨ ଜଣ ଅଭିଯୁକ୍ତ ସଚିନ୍ ସିଂହ ଓରଫ୍ କୋବ୍ରା ଏବଂ ଜନ୍ ଚୌଧୁରୀଙ୍କୁ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଗିରଫ କରିଛି ।
ସୂଚନାଯୋଗ୍ୟ, ବୁଲନ୍ଦସର ହିଂସାରେ ପୋଲିସ ଇନ୍ସପେକଫର ସୁବୋଧ କୁମାର ସିଂହ ଏବଂ ଜଣେ ଯୁବକ ସୁମିତ ପ୍ରାଣ ହରାଇଥିଲେ ।