ଭୁବନେଶ୍ୱର ,୨୪।୧୨ : ଓଡ଼ିଶାର ପ୍ରାଚୀନ ଐତିହ୍ୟ ଓ କୀର୍ତ୍ତିରାଜି ବିଶ୍ୱପ୍ରସିଦ୍ଧ । ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଲଳିତଗିରି, ରତ୍ନଗିରି ଓ ଉଦୟଗିରି। ଯାହା ହୀରକ ତ୍ରିଭୁଜ ନାମରେ ପରିଚିତ। ଖ୍ରୀ.ପୂ. ୨ୟ ଶତାବ୍ଦୀରୁ ଆରମ୍ଭ କରି ୧୨ଶ ଶତାବ୍ଦୀ ପର୍ଯ୍ୟନ୍ତ ନିର୍ମିତ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜୀ ଏଠାରେ ଭରପୂର ହୋଇରହିଛି। ଓଡ଼ିଶାର ପ୍ରଥମ ବୌଦ୍ଧପୀଠ ଲଲିତଗିରିରେ ଭଗବାନ ବୁଦ୍ଧଙ୍କ ଅସ୍ଥି ଆବିଷ୍କୃତ ହୋଇଥିଲା। ୩ଟି ଫରୁଆ ମଧ୍ୟରେ ଅତି ଯତ୍ନର ସହ ସଂରକ୍ଷିତ ହୋଇ ରହିଥିବା ଏହି ଅସ୍ଥି ଦୀର୍ଘ ୩୩ ବର୍ଷ ତଳେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଆବିଷ୍କାର କରିଥିଲା। ହେଲେ ଏ ପର୍ଯ୍ୟନ୍ତ ପର୍ଯ୍ୟଟକ ଏହାକୁ ଦେଖିବାର ସୁଯୋଗ ପାଇ ନ ଥିଲେ। ପ୍ରଥମ କରି ୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବୁଲେଟ ପ୍ରୁଫ୍ ସଂଗ୍ରହାଳୟରେ ବୁଦ୍ଧଙ୍କ ଅସ୍ଥି ସ୍ଥାନ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏହି ସଂଗ୍ରହାଳୟକୁ ଉଦ୍ଘାଟନ କରିଛନ୍ତି ।
ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ୧୯୮୫-୮୬ରେ ଲଳିତଗିରିର ଉତ୍ଖନନ କରାଇଥିଲେ। ସେ ସମୟର ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶକ ଗୋପାଳ ଚନ୍ଦ୍ର ଚାୱେଲଙ୍କ ଅଧ୍ୟକ୍ଷତାରେ ସର୍ବେକ୍ଷଣ ସଂସ୍ଥା ବହୁ ବିରଳ କୀର୍ତ୍ତିରାଜି ଆବିଷ୍କାର କରିଥିଲା। ଖନନ ସମୟରେ ଲଳିତଗିରିର ପାହାଡ଼ରୁ ୪ ବୌଦ୍ଧ ବିହାର, ୧ ଚୈତ୍ୟ ଗୃହ, ୧ ମହାସ୍ତୂପ, ବିଭିନ୍ନ ମୁଦ୍ରାରେ ଥିବା ବୁଦ୍ଧଙ୍କ ମୂର୍ତ୍ତି ମିଳିଥିଲା। ଗୌତମ ବୁଦ୍ଧଙ୍କ ପଥର ନିର୍ମିତ ଭୂମିସ୍ପର୍ଶ ବୁଦ୍ଧ, ଧ୍ୟାନ ବୁଦ୍ଧ, ଅଭୟ ବୁଦ୍ଧ, ଧର୍ମଚକ୍ର ବୁଦ୍ଧ, ବରଦା ମୁଦ୍ରା ଆଦି ଆବିଷ୍କୃତ ହୋଇଥିଲା ବେଳେ ମୂଚ୍ଛଲିଙ୍ଗ ବୁଦ୍ଧମୂର୍ତ୍ତି ମିଳିଥିଲା। ଏହା ଭାରତବର୍ଷର ଅନ୍ୟ କେଉଁ ସ୍ଥାନରୁ ମିଳି ନ ଥିବା ଐତିହାସିକମାନେ ମତ ଦେଇଛନ୍ତି।