ନୂଆଦିଲ୍ଲୀ, ୨୨/୧୧: ବେଆଇନ ଭାବେ ଦେଶରେ ବସବାସ କରୁଥିବା ବ୍ୟକ୍ତିଙ୍କୁ ନେଇ ସ୍ଥଳ ସେନାଧ୍ୟକ୍ଷ ବିପିନ ରାୱତ ଏକ ବଡ ବୟାନ ଦେଇଛନ୍ତି । ବିପିନଙ୍କ ଏହି ବୟାନ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଏନଆରସିରେ ନିଜ ନାମ ସାମିଲ କରିବା ପାଇଁ ଆଉ ମାତ୍ର ତିନି ସପ୍ତାହ ବାକି ରହିଛି । ସେ ଏନଆରସିକୁ ସମର୍ଥନ କରନ୍ତି ଏବଂ ଯେଉଁ ଦଳ ଏହାକୁ ବିରୋଧ କରୁଛନ୍ତି ସେମାନେ ରାଷ୍ଟ୍ରୀୟ ସୁରକ୍ଷାକୁ ଦୁର୍ବଳ କରୁଥିବା ଶ୍ରୀ ରାୱତ କହିଛନ୍ତି ।
ଟାଇମ୍ସ ନାଓକୁ ଦେଇଥିବା ଏକ ସାକ୍ଷାତକାରରେ ଶ୍ରୀ ରାୱତ କହିଛନ୍ତି ଯେ, ଭାରତୀୟ ସେନା ଦ୍ୱାରା କରାଯାଉଥିବା ନକଲି ଏନକାଉଂଟର ଏବଂ ମାନବାଧିକାର ଉଲଂଘନ ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ମିଥ୍ୟ । ଦେଶରେ ଯେଉଁମାନେ ଅବୈଧ ଭାବେ ବସବାସ କରୁଛନ୍ତି ସେମାନଙ୍କୁ ତୁରନ୍ତ ବାହାର କରିବା ଦରକାର । ସେମାନଙ୍କୁ ନେଇ ରାଜନୀତି ହେବା ଅନୁଚିତ । ସେମାନେ ଦେଶ ପାଇଁ ବିପଦ । କିଛି ରାଜନୈତିକ ଦଳ ସେମାନଙ୍କୁ ସାହାଯ୍ୟ କରୁଛନ୍ତି । କେତେକ ସ୍ଥାନରେ ସେମାନଙ୍କୁ ଦେଶର ଶାସନ ସହ ଜଡିତ କରାଯାଇଛି । ସେମାନଙ୍କୁ ବେଆଇନ ଭାବେ ଦେଶର ନାଗରିକ ଭାବେ ଦର୍ଶାଯାଉଛି ।