ବୈଜୟନ୍ତଙ୍କୁ ମିଳିଲା ବିଜେପି ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ପଦ

0

ନୂଆଦିଲ୍ଲୀ,୮/୩: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ବଡ ଦାୟିତ୍ୱ । ବର୍ତମାନ ଭାରତୀୟ ଜନତା ପାର୍ଟିର ଜାତୀୟ ଉପସଭାପତି ଭାବେ ବୈଜୟନ୍ତଙ୍କୁ ଦାୟିତ୍ୱ ମିଳିଛି । ଏହାସହ ସେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ମଧ୍ୟ ହୋଇଛନ୍ତି ।

କେନ୍ଦ୍ରାପଡାର ପୂର୍ବତନ ସାଂସଦ ଗତ ୪ତାରିଖରେ ବିଜେପିରେ ସାମିଲ ହୋଇଥିଲେ । ସେ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଙ୍କ ଉପସ୍ଥିତିରେ ନୂଆଦିଲ୍ଲୀଠାରେ ପଦ୍ମ ଧରିଥିଲେ । ଦଳରେ ମିଶିବାର ୪ଦିନ ପରେ ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି ଅମିତ ଶାହା । ଏଣିକି ବୈଜୟନ୍ତ ଦଳର ଉପସଭାପତି ସହ ମୁଖପାତ୍ର ଭାବେ ଦାୟିତ୍ୱ ତୁଲାଇବେ ।

ଦଳ ପକ୍ଷରୁ ନିଯୁକ୍ତି ନେଇ ବୈଜୟନ୍ତ ପଣ୍ଡା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ କୃତଜ୍ଞତା ଜଣାଇଛନ୍ତି। ବୈଜୟନ୍ତଙ୍କୁ ସାଧାରଣ ନିର୍ବାଚନ ପୂର୍ବରୁ ଗୁରୁ ଦାୟିତ୍ଵ ରୂପେ ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ଭାବେ ନିଯୁକ୍ତ କରାଯାଇଛି। ସମସ୍ତ ସହଯୋଗୀଙ୍କ ଠାରୁ ସହଯୋଗ ଓ ସମର୍ଥନ ଲୋଡି ବୈଜୟନ୍ତ ଟ୍ଵିଟ୍ କରିଛନ୍ତି। ଦଳର ସଫଳତା ପାଇଁ ପ୍ରତିଶ୍ରୁତିବଦ୍ଧତା ସହ କାର‌୍ୟ୍ୟ କରିବି ଏବଂ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ନ୍ୟୁ ଇଣ୍ଡିଆ ନିର୍ମାଣ ପାଇଁ କାର‌୍ୟ୍ୟ କରିବି ବୋଲି ବୈଜୟନ୍ତ କହିଛନ୍ତି।

ଉଲ୍ଲେଖଯୋଗ୍ୟ ବୈଜୟନ୍ତ ଗତ ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। କିନ୍ତୁ ପରେ ତାଙ୍କର ଦଳ ସହ ମତଭେଦ ଦେଖାଯାଇଥିଲା । ସେ ବିଜେଡିର ଅନେକ ଦୁର୍ନୀତିକୁ ବିରୋଧ କରିବା ସହ ଭୁଲ ନିଷ୍ପତିକୁ ସମାଲୋଚନା କରିଥିଲେ । ଏହା ମଧ୍ୟରେ ୨୦୧୭ର ପଞ୍ଚାୟତ ନିର୍ବାଚନରେ ବିଜେପିର ଦମଦାର ପ୍ରଦର୍ଶନ ପରେ ସେ ବିଜୁ ଜନତା ଦଳକୁ କ୍ରମାଗତ ଆତ୍ମ ବିଶ୍ଳେଷଣର ପରାମର୍ଶ ଦେଇଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଥିଲେ। ଯାହା ତାଙ୍କ ପାଇଁ ଅଡୁଆ ବଢାଇଥିଲା । ଏପରିକି ତାଙ୍କର ଅନେକ କାରବାରକୁ ରାଜ୍ୟ ସରକାର ଷଡଯନ୍ତ୍ର କରି ବନ୍ଦ କରିବାକୁ ପ୍ରୟାସ କରିଥିଲେ । ଏହାପରେ ବିଜେଡି ବୈଜୟନ୍ତଙ୍କୁ ଦଳରୁ ୨୦୧୮ ମେ ୨୮ରେ ଇସ୍ତଫା ଦେଇଥିଲେ। ଏହାପରେ ମଧ୍ୟ ସେ ନିଜର ରାଜନୈତିକ କାର୍ଯ୍ୟକଳାପ ଜାରି ରଖିଥିଲେ । ଯାହାକୁ ନେଇ ସେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । ଆହୁରି ପୁଣି କେତେବେଳେ ସେ କଂଗ୍ରେସରେ କିମ୍ବା ନୂତନ ଦଳ ଗଠନ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ଏହା ପରେ ସେ ମାର୍ଚ୍ଚ ୩ରେ ବିଜେପିରେ ଯୋଗ ଦେଇଥିଲେ।

ବୈଜୟନ୍ତ ପଣ୍ଡା ୨୦୦୦ ମସିହାରେ ପ୍ରଥମ ଥର ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହୋଇଥିଲେ। ଏହା ପରେ ସେ ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ଥିଲେ। ଏହା ପରେ ସେ ବିଜେଡ଼ି ଟିକେଟରେ ୨୦୦୯ ଓ ୨୦୧୪ରେ ଲୋକସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ।

Leave A Reply

Your email address will not be published.