ଭୁବନେଶ୍ୱର, ୧୯/୧: ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିଛନ୍ତି। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି। ଏହା ଦ୍ୱାରା ୩୦୦ ଟଙ୍କା ଭତ୍ତା ପାଉଥିବା ହିତାଧିକାରୀ ୫୦୦ ଟଙ୍କା ପାଇପାରିବେ। ସେହିପରି ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ୫୦୦ ଟଙ୍କା ପରିବର୍ତ୍ତେ ୭୦୦ଶହ ଟଙ୍କା ପାଇବେ। ୧୫ ଫେବୃଆରୀ ୨୦୧୯ରୁ ମଧୁବାବୁ ପେନ୍ସନ୍ ଯୋଜନାରେ ଏହି ଅଧିକ ଟଙ୍କା ହିତାଧିକାରୀମାନେ ପାଇପାରିବେ। ତେବେ ଭତ୍ତା ବୃଦ୍ଧିପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସବୁ ହିତାଧିକାରୀ ସମାଜିକ ସୁରକ୍ଷା ପାଇବା ଉଚିତ୍। ଆଉ ଏହାକୁ ଦୃଷ୍ଟିରେ ରଖି ମଧୁବାବୁ ପେନ୍ସନ୍ ଯୋଜନାରେ ଅଧିକ ୫ ଲକ୍ଷ ଲୋକଙ୍କୁ ସାମିଲ କରାଯାଇଛି। ଗରିବ ଯୋଜନା ମୋତେ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାରଙ୍କ ଏହି ଘୋଷଣା ପରେ ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ। ରାଜ୍ୟର ୪୮ ଲକ୍ଷ ଗରିବ, ବୁଢ଼ାବୁଢ଼ୀ, ଭିନ୍ନକ୍ଷମ, ବିଧବା ଓ ଅସହାୟ ମହିଳା ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଯୋଗୁ ଉପକୃତ ହୋଇପାରିବେ।