ନୂଆଦିଲ୍ଲୀ, ୨/୧୨ : ବରିଷ୍ଠ ଆଇଏଏସ୍ ଅଧିକାରୀ ସୁନୀଲ ଅରୋରା ଦେଶର ୨୩ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ତାଙ୍କୁ ଓପି ରାୱତଙ୍କ ସ୍ଥାନରେ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରା ଯାଇଛି । ଏବେ ଅରୋରାଙ୍କ ନେତୃତ୍ୱରେ ୨୦୧୯ ଲୋକସଭା ନିର୍ବାଚନ ପରିଚାଳନା କରାଯିବ । ଓପି ରାୱତ ଗତକାଲି ଠାରୁ ଅବସର ନେଇ ସାରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଲୋକସଭା ନିର୍ବାଚନ ବ୍ୟତୀତ ଅରୋରାଙ୍କ ନେତୃତ୍ୱରେ ଆସନ୍ତାବର୍ଷ ଜମ୍ମୁକଶ୍ମୀ ର,ଓଡ଼ିଶା, ମହାରାଷ୍ଟ୍ର, ହରିୟାଣା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଜମ୍ମୁକଶ୍ମୀର ଏବଂ ଶିକ୍କିମ ବିଧାନସଭା ନିର୍ବାଚନ ପରିଚାଳନା ହେବ ।ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ସୁନୀଲ ଅରୋରା ୨୦୧୭ ଅଗଷ୍ଟ ୩୧ରେ ନିର୍ବାଚନ କମିଶନର ଭାବରେ ନିଯୁକ୍ତ ହୋଇଥିଲେ । ଅରୋରା (୬୨) ପୂର୍ବରୁ ସୂଚନା ଏବଂ ପ୍ରସାରଣ ସଚିବ ଥିଲେ । ସେହିଭଳି ସେ କୌଶଳ ବିକାଶ ମନ୍ତ୍ରାଳୟରେ ମଧ୍ୟ ସଚିବ ପଦରେ କାମ କରିଥିଲେ । ୧୯୮୦ ବେଂଚର ଭାରତୀୟ ପ୍ରଶାସନିକ ଅଧିକାରୀ ଅରୋରା ଅର୍ଥ, ହସ୍ତଶିଳ୍ପ ଏବଂ ପ୍ଲାନିଙ୍ଗ କମିଶନ ମନ୍ତ୍ରାଳୟରେ କାମ କରିଛନ୍ତି ।
ଅରୋରା ୧୯୯୯-୨୦୦୨ ମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବରେ କାମ କରିଛନ୍ତି । ସେହିଭଳି ସେ ଇଣ୍ଡିଆନ ଏୟାରଲାଇନ୍ସରେ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାବରେ କାମ କରିଛନ୍ତି । ରାଜସ୍ଥାନ କ୍ୟାଡର ଆଇଏଏସ ଅଧିକାରୀ ଧଉଲପୁର, ଅଲୱର, ନାଗପୁର ଓ ଯୋଧପୁର ଜିଲ୍ଲାପାଳ ରହିବା ପରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସଚିବ ଥିଲେ । ରାଜସ୍ଥାନରେ ଅରୋରା ୨୦୦୫ରୁ ୨୦୦୮ ମଧ୍ୟରେ ସେ ପ୍ରିନ୍ସପାଲ ସଚିବ ଥିଲେ ।