ଭାରତ ପାଇଁ ବିଶ୍ୱକପ୍‌ ଖେଳିବେ ୭ ନୂଆ ଖେଳାଳି

0

ମୁମ୍ବାଇ,୧୬/୪: କ୍ରିକେଟ୍‌ର ସବୁଠାରୁ ବଡ଼ ମହାକୁମ୍ଭ ବିଶ୍ୱକପ୍‌ ପାଇଁ ବିସିସିଆଇ ୧୫ ଜଣିଆ ସ୍କ୍ୱାଡ୍‌ ଘୋଷଣା କରି ସାରିଛି। ଏହି ସ୍କ୍ୱାଡ୍‌ରେ ୨୦୧୧ ବିଶ୍ୱକପ୍‌ ୱିନିଂ ଟିମ୍‌ରେ ଥିବା ସଦସ୍ୟଙ୍କ ମଧ୍ୟରୁ କେବଳ ବିରାଟ୍‌ କୋହଲି ଏବଂ ମହେନ୍ଦ୍ର ସିଂହ ଧୋନି ରହିଛନ୍ତି।

ସେହିପରି ୨୦୧୫ ବିଶ୍ୱକପ୍‌ରେ ରୋହିତ ଶର୍ମା, ଶିଖର ଧୱନ, ଭୁବନେଶ୍ୱର କୁମାର, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ଶାମି ଖେଳିଥିଲେ। ସେହିପରି ଦୀନେଶ କାର୍ତ୍ତିକ ୨୦୦୭ ବିଶ୍ୱକପ୍‌ ଖେଳିବାର ଅଭିଜ୍ଞତା ରଖିଛନ୍ତି। ଏହି ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା।

ଏମାନଙ୍କୁ ଛାଡ଼ି ଦେଲେ ୨୦୧୯ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ୭ ଜଣ ଏମିତି ଖେଳାଳି ରହିଛନ୍ତି, ଯେଉଁମାନେ ପ୍ରଥମଥର ବିଶ୍ୱକପ୍‌ ଟିକେଟ୍‌ ପାଇଛନ୍ତି। ସେ ଯାହା ହେଉ ପ୍ରଥମଥର ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଖେଳାଳିଙ୍କ ଉପରେ ଏବେ ସମସ୍ତଙ୍କ ନଜର।

କେଏଲ ରାହୁଲ: ୨୦୧୮ ଆଇପିଏଲ୍‌ରେ ଦମଦାର ପ୍ରଦର୍ଶନ କରିଥିବା କେଏଲ୍‌ ରାହୁଲଙ୍କୁ ଟିମ୍‌ ଇଣ୍ଡିଆରେ ସୁଯୋଗ ମିଳିଥିଲା। ହେଲେ ସେ ସୁଯୋଗର ଫାଇଦା ଉଠାଇ ପାରି ନଥିଲେ। ଟିମ୍‌ ଇଣ୍ଡିଆର ସୁଯୋଗ ପାଇବା ପରେ ରାହୁଲ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟି-୨୦ରେ ଶତକ ଅର୍ଜନ କରିଥିଲେ ସତ କିନ୍ତୁ ଏହାପରେ ସେ ଟେଷ୍ଟରେ ଖରାପ ପ୍ରଦର୍ଶନ କରିବାରୁ ତାଙ୍କୁ ବାହାରର ରାସ୍ତା ଦେଖିବାକୁ ପଡ଼ିଥିଲା। ତେବେ ରାହୁଲଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୩ ଦିନିଆ ଖେଳିବାର ସୁଯୋଗ ଦିଆଯାଇଥିଲେ। ହେଲେ ଟିଭି କାର୍ଯ୍ୟକ୍ରମ କଫି ୱିଥ କରନ୍‌ରେ ବିବାଦୀୟ ବୟାନ ପାଇଁ ସେ ଏହି ସୁଯୋଗ ହାତଛଡ଼ା କରିଥିଲେ। ଏହାପରେ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍‌ରେ କମ୍‌ବ୍ୟାକ୍‌ କରିଥିଲେ। ସେ ଟି-୨୦ରେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ। ଏବେ ଆଇପିଏଲ୍‌ରେ ପଞ୍ଜାବ ପକ୍ଷରୁ ଖେଳୁଥିବା ରାହୁଲ ଦମଦାର ପ୍ରଦର୍ଶନ କରିଥିବାରୁ ବିଶ୍ୱକପ୍‌ ଟିକେଟ୍‌ ପାଇଛନ୍ତି। ଏହା ତାଙ୍କର ପ୍ରଥମ ବିଶ୍ୱକପ୍‌

ବିଜୟ ଶଙ୍କର: ନିଦାଶ ଟ୍ରଫିରେ ବିଜୟ ଶଙ୍କରଙ୍କୁ ସୁଯୋଗ ମିଳିଥିଲେ ହେଁ ସେ ଫାଇନାଲ୍‌ ମ୍ୟାଚ୍‌ରେ ଦଳକୁ ସଙ୍କଟ ମଧ୍ୟକୁ ଠେଲି ଦେଇଥିଲେ। ତେବେ ଦୀନେଶ କାର୍ତ୍ତିକ ଶେଷ ବଲ୍‌ରେ ଛକା ମାରି ଦଳକୁ ଚାମ୍ପିୟନ କରିଥିଲେ। ଏହାର ବର୍ଷକ ପରେ ହାର୍ଦ୍ଦିକ ପାଣ୍ଡ୍ୟା କଫି ୱିଥ୍‌ କରନ୍‌ ପାଇଁ ବ୍ୟାନ୍‌ ହେବାରୁ ତାଙ୍କ ବଦଳରେ କାମଚଳା ଖେଳାଳି ଭାବେ ଶଙ୍କରଙ୍କୁ ଅଷ୍ଟ୍ରେଲିଆ ପଠା ଯାଇଥିଲା। ଏହିଠାରୁ ତାଙ୍କ ଭାଗ୍ୟରେ ପରିବର୍ତ୍ତନ ହୋଇଥିଲା। ସେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ମୁଖ୍ୟ ଚୟନକର୍ତ୍ତା ମଧ୍ୟ ଶଙ୍କର ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଶ୍ରେଷ୍ଠ ବୋଲି କହି ତାଙ୍କୁ ବିଶ୍ୱକପ୍‌ ଟିକେଟ୍‌ ଦେଇଛନ୍ତି।

କେଦାର ଯାଦବ: ଟିମ୍‌ ଇଣ୍ଡିଆକୁ ଯେତେବେଳେ ବ୍ୟାଟିଂ ଓ ବୋଲିଂରେ ଦରକାର ପଡ଼ିଛି ସବୁବେଳେ କେଦାର ଯାଦବ ହିଁ ସଫଳତା ଦେଇଛନ୍ତି। ସେ ମଧ୍ୟକ୍ରମରେ ବ୍ୟାଟିଂ କରିବା ସହ ଉପଯୋଗୀ ୱିକେଟ୍‌ ଦଖଲ କରିବାର କ୍ଷମତା ରଖିଛନ୍ତି। ଇଂଲଣ୍ଡ ପଡ଼ିଆରେ ସେ ବୋଲିଂର ସୁଯୋଗ ପାଇ ନପାରନ୍ତି। କିନ୍ତୁ ପିଚ୍‌ ଶୁଖିଲା ରହିଲେ, ସେ ନିଶ୍ଚିତ ପ୍ରତିପକ୍ଷଙ୍କ ପାଇଁ ଘାତକ ସାବ୍ୟସ୍ତ ହେବେ।

ହାର୍ଦ୍ଦିକ ପାଣ୍ଡ୍ୟା: ଆହତ ଓ କଫି ୱିଥ କରନ୍‌ ବିବାଦରୁ ମୁକିଳିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନ୍ୟୁଜିଲ୍ୟାଣ୍ଡ ସିରିଜ୍‌ ଖେଳିବା ପାଇଁ ପଠା ଯାଇଥିଲା। ସେ ଏହାର ଫାଇଦା ଉଠାଇ ଚମତ୍କାର ପ୍ରଦର୍ଶନ କରିଥିଲେ। ପାଣ୍ଡ୍ୟା ଉଭୟ ବୋଲିଂ ଓ ବ୍ୟାଟିଂରେ ନିଜର ଛାପ ଛାଡ଼ିଛନ୍ତି। ଚଳିତ ଆଇପିଏଲ୍‌ରେ ମଧ୍ୟ ସେ ଫର୍ମରେ ରହିଥିବା ସମସ୍ତଙ୍କୁ ଦେଖାଇ ଦେଇଛନ୍ତି।

ୟୁଜବେନ୍ଦର ଚହଲ ଓ କୁଲଦୀପ ଯାଦବ: ଦୁଇ ବର୍ଷ ତଳେ ଇଂଲଣ୍ଡରେ ଶେଷ ହୋଇଥିବା ଚାମ୍ପିୟନସ ଟ୍ରଫି ଫାଇନାଲ୍‌ ପରେ ଭାରତର ଫୋକ୍ସ ରିଷ୍ଟ ସ୍ପିନିଙ୍କ ଉପରକୁ ଯାଇଥିଲା। ପୂର୍ବରୁ ଦଳର ନିୟମିତ ସଦସ୍ୟ ଥିବା ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ବଦଳରେ ଟିମ୍ ଇଣ୍ଡିଆ କୁଲଦୀପ ଓ ଚହଲ ଯୋଡ଼ିଙ୍କ ଉପରେ ବେଶୀ ଭରସା କରିଥିଲା। ଉଭୟ ମଧ୍ୟ ଏକାଧିକ ମ୍ୟାଚ୍‌ରେ ଭାରତକୁ ଜିତାଇଛନ୍ତି। ଏହି ଦୁଇ ଜଣଙ୍କ ପାଇଁ ଦଳ ଦକ୍ଷିଣ ଆଫ୍ରିକାକୁ ୫-୧ରେ ପରାସ୍ତ କରିଥିଲା। ତେଣୁ ଇଂଲଣ୍ଡ ମାଟିରେ ଉଭୟ ଦମଦାର ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା କରିଛନ୍ତି।

ଯଶପ୍ରୀତ ବୁମ୍ରା: ଜନ୍‌ ରାଇଟ୍‌ ହିଁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ଯଶପ୍ରୀତ ବୁମ୍ରାଙ୍କୁ ପ୍ରଥମେ ଆବିଷ୍କାର କରିଥିଲେ। ଭାରତୀୟ ବୋଲିଂ ଲାଇନ୍‌ ଅପ୍‌ର ସବୁଠାରୁ ସଫଳ ବୋଲର ହେଉଛନ୍ତି ବୁମ୍ରା। ଏବେ ବୁମ୍ରା ଦିନିକିଆରେ ବିଶ୍ୱର ନଂ ୧ ବୋଲର। ସେ ଉଭୟ ନୂଆ ଓ ପୁରୁଣା ବଲ୍‌ରେ ବୋଲିଂ କରିବାର କ୍ଷମତା ରଖିଛନ୍ତି। ଏହା ବୁମ୍ରାଙ୍କର ପ୍ରଥମ ବିଶ୍ୱକପ୍‌।

Leave A Reply

Your email address will not be published.