ଭୁବନେଶ୍ୱର, ୨୮/୧୨: ଲୋକସଭାରେ ତିନି ତଲାକ ବିଲ୍ ମାମଲାରେ ବିଜୁ ଜନତା ଦଳର ଆଭିମୁଖ୍ୟ ମହିଳାଙ୍କୁ ସମ୍ମାନ ଓ ସୁରକ୍ଷା ନେଇ ଦଳର ଦୋମୁହାଁ ଚରିତ୍ରକୁ ସ୍ପଷ୍ଟ କରିଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ମୁସଲମାନ ସମ୍ପ୍ରଦାୟର ଭଉଣୀମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଉଦ୍ଧିଷ୍ଟ ଏହି ତିନି ତଲାକ ବିଲକୁ ବିଜେଡ଼ିର ବିରୋଧ କାରଣ କଣ ? କଣ ପାଇଁ ବିଜେଡ଼ି ତିନି ତଲାକ ଅପରାଧକୁ ଜାମିନବିହୀନ ବଦଳରେ ଥାନାରୁ ବ୍ୟକ୍ତିଗତ ମୁଚାଲିକାରେ ମୁକ୍ତ କରିବା ସପକ୍ଷରେ ଯୁକ୍ତି ବାଢ଼ି ଏହି ବିଲକୁ ବିରୋଧ କରୁଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ।
କେନ୍ଦ୍ର ମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ କରିଛନ୍ତି ଯେ କଣ ପାଇଁ ବିଜେଡ଼ି ତିନି ତଲାକ୍ ଅପରାଧୀର ଜରିମାନା ସୀମାକୁ ସର୍ବାଧିକ ପାଞ୍ଚ ଲକ୍ଷ ଟଙ୍କା ମଧ୍ୟରେ ସୀମିତ କରିବାକୁ ଚାହୁଁଛି। ମହିଳା ସମ୍ମାନର ମୂଲ୍ୟ କଣ ପାଞ୍ଚ ଲକ୍ଷ ଟଙ୍କାରେ ସୀମିତ କରାଯିବା ବିଜେଡ଼ିର ଆଭିମୁଖ୍ୟ? ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ପିପିଲିର ଗଣଦୁଷ୍କର୍ମ ପୀଡ଼ିତା ବେବିନା ମାମଲାର ଅଭିଯୁକ୍ତମାନେ ପ୍ରମାଣ ଅଭାବରୁ ଖଲାସ ହେଲାବେଳେ ଏହି ଦଳିତ ଝିଅକୁ ନ୍ୟାୟ ମିଳିଲା ବୋଲି ରାଜ୍ୟର ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ତାଚ୍ଛଲ୍ୟ କରୁଛନ୍ତି। ହତ୍ୟାର ଶୀକାର ହୋଇଥିବା ଇତିଶ୍ରୀ ହେଉ ଅବା କୁନ୍ଦୁଲି ପୀଡ଼ିତା, ବେଲଟିକିରି ସେଲଟର ହୋମରେ ନିର୍ଯ୍ୟାତନା ଅଥବା ରାଜ୍ୟରେ ବଢ଼ି ଚାଲିଥିବା ମହିଳା ବିରୋଧୀ ହିଂସା ବିଶେଷ ଭାବରେ ଶିଶୁ, କିଶୋରୀ ଝିଅଙ୍କ ବଳତ୍କାର ମାମଲା। ଏଥିରୁ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଥିବା ଚିତ୍ରକୁ ସ୍ପଷ୍ଟ କରୁଛି । ଏହି ପ୍ରଶ୍ନର ଜବାବ ମହିଳା ମାଗୁଛି। ଏହାର ଜବାବ ମାଗୁଛି ଓଡ଼ିଶା ବୋଲି ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।