ଆମେ ସଭିଏଁ ଜାଣୁ ଭାରତୀୟମାନେ ଅଧିକାଂଶ ଚା’ ପିଇବାକୁ ପସନ୍ଦ କରିଥାନ୍ତି । ଚା’ ପିଉଥିବା ଲୋକଙ୍କ ସଂଖ୍ୟା ଯେ କେହି ଅନୁମାନ କରି ପାରୁଥିବ ଚା’ଷ୍ଟଲମାନଙ୍କରେ ବିଶେଷତଃ ସକାଳେ ଏବଂ ସନ୍ଧ୍ୟାରେ ଲାଗି ରହୁଥିବା ଭିଡ଼କୁ ଦେଖି । କହିବାକୁ ଗଲେ ସକାଳୁ ସକାଳୁ ଚା’ ଷ୍ଟଲମାନଙ୍କରେ ଚା’ ପିଇବା ସାଙ୍ଗରେ ଖବରକାଗଜ ପଢ଼ିବା ଏବଂ ଦେଶର ରାଜନୀତି ପାଣିପାଗ ଉପରେ ବିଶେଷ ଚର୍ଚ୍ଚା ହୋଇଥାଏ । ବିଭିନ୍ନ ବର୍ଗର, ଶ୍ରେଣୀର ଲୋକଙ୍କ ମଧ୍ୟରେ ଏ ନେଇ ମତ ବିନିମୟ ହୋଇଥାଏ । ହଁ କହିବାକୁ ଗଲେ ଲୋକମାନେ ସ୍ୱାଦନୁଯାୟୀ ଚା’ ପାନ କରିଥାନ୍ତି । ଯେପରିକି ଲେମନ୍ ଚା’, ମସଲାଯୁକ୍ତ ଚା’, ହର୍ବଲ୍ ଚା, ଅଦା, ଅଳେଇଚ, ଗୋଲମରିଚ ଆଦି ଯୁକ୍ତ କରି ଅନେକେ ଚା’ ପିଇଥାନ୍ତି । ସେହିଭଳି ଆମେ ଆଉ ଏକ ଚା’ ବିଷୟରେ କହିବାକୁ ଯାଉଛୁ, ତାହା ହେଉଛି ଲୁଣଯୁକ୍ତ ଚା’ । ନିଜସ୍ୱ ଶୈଳୀ ତଥା ବିଭିନ୍ନ ପ୍ରକାର ସମଲା ଏବଂ ସ୍ୱାଦ ନିମନ୍ତେ ପ୍ରସିଦ୍ଧି ଲାଭ କରିଥିବା ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ବିଷୟରେ ଆମେ କହିବାକୁ ଯାଉଛୁ । ଏଠାରେ ରହିଛି ଏକ ଚା’ ଷ୍ଟଲ, ଯେଉଁଠାରେ ଲୁଣଯୁକ୍ତ ଚା’ ପିଇବାକୁ ଲୋକଙ୍କ ଭିଡ଼ ଜମିଥାଏ । ସନ୍ଧ୍ୟା ହେଉ ହେଉ ଗ୍ରାହକମାନେ ଉକ୍ତ ଚା’ ଷ୍ଟଲମାନଙ୍କରେ ଭିଡ଼ ଜମାଇ ଦେଇଥାନ୍ତି । ପୁରୁଣା ଭୋପାଳରେ ଅବସ୍ଥିତ କିଛି ବହୁତ ବର୍ଷର ପୁରୁଣା ଚା’ ଷ୍ଟଲ । ସେଗୁଡ଼ିକରେ ସନ୍ଧ୍ୟାରୁ ପ୍ରାୟ ଅଧରାତି ପର୍ଯ୍ୟନ୍ତ ଚା’ ପିଇବାକୁ ଗ୍ରାହକଙ୍କ ଭିଡ଼ ଜମିଥାଏ । ଏହି ଲୁଣଯୁକ୍ତ ଚା’ର ଇତିହାସ ମଧ୍ୟ ଅତି ହୃଦୟସ୍ପର୍ଶୀ । ଶୁଣାଯାଏ ଯେ ଭୋପାଳର ବେଗମ ସିକନ୍ଦର ଥରେ ତୁର୍କୀ ଯାଇଥିଲେ ଏବଂ ସେଠାରୁ ଏହି ଚା’ ପ୍ରସ୍ତୁତି ଜ୍ଞାନ ଆହରଣ କରି ଆସିଥିଲେ । ପରେ ପରେ ପଞ୍ଜାବର ମହାରାଜ ରଞ୍ଜିତ ସିଂହ ନବାବ ହମିଦୁଲ୍ଲାଙ୍କୁ ଏହି ବିଶେଷ ଚା’ର ରହସ୍ୟ କହିଥିଲେ । କ୍ରମେ ଏହା ନବାବମାନଙ୍କ ମଧ୍ୟରେ ପ୍ରସିଦ୍ଧି ଲାଭ କରିବା ପରେ ପରେ ସହର, ହୋଟେଲ ଆଦିରେ ପହୁଞ୍ଚି ବର୍ତ୍ତମାନ ଲୋକମାନଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି । ଏହି ଚା’ର ଭିନ୍ନ ଭିନ୍ନ ନାମକରଣ ମଧ୍ୟ ରହିଛି । ବିଶେଷକରି ପୁରୁଣା ଭୋପାଳର ମୁମତାଜ ହୋଟେଲ, ପଟେଲ ହୋଟେଲ, ରାଜୁ ଦ ଷ୍ଟଲ ଆଦି କେତେକରେ ଏହି ବିଶେଷ ଧରଣର ଚା’ ଲାଗି ଲୋକଙ୍କ ଭିଡ଼ ଜମିଥାଏ ।