ପିଲାମାନେ ଭିଡ଼ିଓ ଗେମ୍ ଖେଳିବାକୁ ପ୍ରାୟତଃ ପସନ୍ଦ କରିଥାନ୍ତି । ଏଥିପାଇଁ ଅନେକ ପିଲାଙ୍କୁ ନିଜ ନିଜ ପିତାମାତା ତଥା ଅଭିଭାବକମାନଙ୍କଠାରୁ ଗାଳି ମାଡ଼ ମଧ୍ୟ ହୋଇଥାଏ । ମାତ୍ର ଆପଣ ଜାଣିଲେ ବେଶ୍ ଆଶ୍ଚର୍ଯ୍ୟ ହେବେ ଯେ ଏହି ୧୪ ବର୍ଷୀୟ ପିଲା ଭିଡ଼ିଓ ଗେମ୍ ଖେଳିବା ଲାଗି ନିଜ ପିତାମାତାଙ୍କଠାରୁ ଗାଳି ପରିବର୍ତ୍ତେ ସାବାସୀ ପାଉଛି । କାରଣ ଏହି ପିଲା ଭିଡ଼ିଓ ଗେମ୍ ଖେଳି ବର୍ଷକ ମଧ୍ୟରେ ୧.୪ କୋଟି ଆୟ କରି ସାରିଲାଣି । ଗ୍ରିଫିନ୍ ସ୍ପିକୋସ୍କୀ ନାମକ ଏହି ପିଲା ନୁ୍ୟୟର୍କରେ ରହେ । ଗ୍ରିଫିନ୍କୁ ଭିଡ଼ିଓ ଗେମ୍ ଖେଳିବା ବହୁତ ପସନ୍ଦ । ସେ ପ୍ରତ୍ୟେହ ପ୍ରାୟ ୧୮ ଘଣ୍ଟା ଭିଡ଼ିଓ ଗେମ୍ ଖେଳିବାରେ ବ୍ୟତୀତ କରିଥାଏ । ଏହା ସହ ସେ ନିଜର ଭିଡ଼ିଓକୁ ୟୁଟୁବ୍ରେ ମଧ୍ୟ ଅପ୍ଲୋଡ଼ କରିଥାଏ । ଏହି ୟୁଟୁବ୍ରେ ଅପ୍ଲୋଡ଼ କାରଣରୁ ତା’ର ବହୁତ ଆୟ ହୋଇଥାଏ । ୟୁଟୁବ୍ରେ ଗ୍ରିଫିନ୍ର ପ୍ରାୟ ୧୨ ଲକ୍ଷ ସବ୍ସ୍କାଇବର ଅଛନ୍ତି । ଗ୍ରିଫିନ୍ର ମାତାପିତାଙ୍କ କହିବା ମୁତାବକ ଗ୍ରିଫିନ୍ର ଭିଡ଼ିଓଗେମ୍ ପ୍ରତି ଆକର୍ଷଣ ଦେଖି ସେମାନେ ବହୁତ ଆଶ୍ଚର୍ଯ୍ୟ ହୋଇଥିଲେ । ପରେ ପରେ ତା’ର ଭିଡ଼ିଓ ଗେମ୍ ପ୍ରତି ଆଗ୍ରହ ଏବଂ ସେଥିରେ ତାର ସଫଳତା ଦେଖି ତାଙ୍କୁ ବହୁତ ଆନନ୍ଦ ମିଳୁଥିଲା । ଗ୍ରିଫିନ୍ର ଏପରି ଅତ୍ୟଧିକ ଆୟ ଦେଖି ତାର ପିତାମାତା ତା ପାଇଁ ଜଣେ ଏକାଉଣ୍ଟାଣ୍ଟ ଏବଂ ଆଉ ଜଣେ ଅର୍ଥନୀତିକ ପରାମର୍ଶଦାତାଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି । ଗ୍ରିଫିନ୍ ୨୦୧୯ରେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ସେ ଫୋର୍ଟନାଇଟ୍ ଗେମ୍ର ଜଣେ ଜଣାଶୁଣା ଖେଳାଳୀଙ୍କୁ ହରାଇଥିଲା । ସେ ତାର ଭିଡ଼ିଓ ମଧ୍ୟ ୟୁଟୁବ୍ରେ ଅପ୍ଲୋଡ଼୍ କରିଥିଲା, ଯାହାକି ପ୍ରାୟ ୭୫ ଲକ୍ଷ ଲୋକ ଦେଖିଥିଲେ । ଏହି ଖବର ପରେ ଗ୍ରିଫିନ୍କୁ ୧୦୦ ଡ଼ଲାର ଅର୍ଥାତ୍ ପାଖାପାଖି ୭ ହଜାର ଟଙ୍କା ମିଳିଥିଲା, ଯାହାକି ତାର ପ୍ରଥମ ଆୟ ଥିଲା । ଗ୍ରିଫିନ୍ର ମାତାପିତାଙ୍କ କହିବା ମୁତାବକ ଗ୍ରିଫିନ୍ ୩ ବର୍ଷରୁ ଏହି ଭିଡ଼ିଓ ଗେମ୍ ପ୍ରତି ଆକର୍ଷିତ ହୋଇଥିଲା, ଏହାକୁ ଦେଖି ତା ପିତାମାତା ତା’ର ପଢ଼ାରୁ ନିବୃତ୍ତ କରାଇଦେଇଥିଲେ । ବର୍ତ୍ତମାନ ଗ୍ରିଫିନ ଘରୁହଁ ଅନ୍ଲାଇନ୍ ମାଧ୍ୟମରେ ପଢ଼ିବା ସହ ଭିଡ଼ିଓ ଗେମ୍ ମାଧ୍ୟମରେ କୋଟି କୋଟି ଟଙ୍କା ଆୟ କରୁଛି ।