ମଦ୍ୟପ ମହିଳାଙ୍କ ସନ୍ତାନଙ୍କୁ ରକ୍ତଚାପ ଆଶଙ୍କା

0

ନିଶାପାନ କରୁଥିବା ମହିଳାମାନେ ଏବେ ସର୍ତକ ହୋଇ ରହିବାକୁ ପଡ଼ିବ । କାରଣ ଏଭଳି ଅଭ୍ୟାସଧାରୀ ମହିଳାମାନଙ୍କ ଜନ୍ମିତ ଶିଶୁଙ୍କ ଠାରେ ଭବିଷ୍ୟତରେ ରକ୍ତଚାପ ପରି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଏପରି ରହସ୍ୟ ଉନ୍ମୋଚନ କରିଛନ୍ତି, ସୁଇଡେନ୍‌ର ବିଶେଷଜ୍ଞମାନେ । ନିକଟରେ ୩୬ଟି ଶିଶୁଙ୍କୁ ନେଇ ଗବେଷଣା କରାଯାଇଥିଲା । ସେଥିରୁ ୧୯ ଜଣ ପିଲାଙ୍କର ମା’ କେବେ ବି ନିଶା ସେବନ କରନ୍ତିନାହିଁ । ଅନ୍ୟ ୧୭ଜଣ ପିଲାଙ୍କର ମା’ ଧୂମ୍‌ପାନ କରିବା ସହିତ ଅନ୍ୟାନ୍ୟ ନିଶା ସେବନ କରିବାରେ ଖୁବ୍‌ ଅଭ୍ୟସ୍ତ ଥିଲେ । ଏହି ପରୀକ୍ଷାରେ ଦୁଇଟି ଗ୍ରୁପ୍‌ର ଶିଶୁଙ୍କର ହୃଦ୍‌ସ୍ପନ୍ଦନ( ହାର୍ଟ ବିଟ୍‌) ଗଣନା କରାଯାଇଥିଲା । ଖାସ୍‌ କଥା ହେଲା, ଯେଉଁ ମା’ମାନେ ସିଗାରେଟ୍‌ ଟାଣୁଥିଲେ, ସେମାନେ ଏହି ଅଭ୍ୟାସ ସନ୍ତାନ ଜନ୍ମ ପରେ ମଧ୍ୟ ଜାରି ରଖିଥିଲେ । ଗବେଷକମାନେ ଏହି ଶିଶୁମାନଙ୍କର ହାର୍ଟବିଟ୍‌ ପରୀକ୍ଷା ନିୟମିତ ଅନ୍ତରାଳରେ ଏକବର୍ଷ ପର୍ଯ୍ୟନ୍ତ କରିଥିଲେ । ପ୍ରଥମ କିଛି ସପ୍ତାହ ମଧ୍ୟରେ ଏଥିଯୋଗୁଁ ଶିଶୁଙ୍କଠାରେ ରକ୍ତଚାପ ପରିମାଣ ୧୦ପ୍ରତିଶତ ଥିବାବେଳେ ବର୍ଷକ ପରେ ଏହା ୧୪ପ୍ରତିଶତରେ ପହଞ୍ଚିଥିଲା ବୋଲି ଗବେଷଣା ରିପୋର୍ଟରୁ ଜଣାପଡିଛି । ଏହା ଉପରେ ମତାମତ ଦେଇ ଗବେଷଣାରତ ବିଶେଷଜ୍ଞମାନେ କହିଛନ୍ତି ଯେ, ଗର୍ଭଧାରଣ ସମୟରେ ହେଉ ଅବା ପରେ ଯଦି ମାଆ ସିଗାରେଟ୍‌ ଟାଣନ୍ତି, ତେବେ ଶିଶୁର ରକ୍ତ ଧମନୀ ପ୍ରଭାବିତ ହୋଇଥାଏ । ସେଥିପାଇଁ ଡାକ୍ତରମାନେ ଗର୍ଭଧାରଣ ସମୟରେ ଏପରି ଅଭ୍ୟାସଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାନ୍ତି । କେବଳ ଏତିକି ନୁହେଁ, ଯଦି ଅନ୍ୟଜଣେ ସିଗାରେଟ୍‌ ଟାଣୁଥାନ୍ତି ଏବଂ ଗର୍ଭଧାରଣ କରିଥିବା ମହିଳା ଏହା ସଂସ୍ପର୍ଶରେ ଆସନ୍ତି, ତେବେ ଗର୍ଭସ୍ଥ ଶିଶୁ ଏହାଦ୍ୱାରା ଆକ୍ରାନ୍ତ ହେବାର ବି ଆଶଙ୍କା ରହିଥାଏ ବୋଲି ଗବେଷକମାନେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.