ଜୟପୁର,୧୯/୧୨: ତିନୋଟି ରାଜ୍ୟରେ କ୍ଷମତାକୁ ଆସିବା ପରେ କଂଗ୍ରେସ ନିଜର ପ୍ରତିଶ୍ରୁତି ପାଳନ କରି ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ କୃଷି ଋଣ ଛାଡ଼ କରିଛି। କମଲନାଥ ଓ ଭୂପେଶ ବାଘେଲଙ୍କ ପରେ ଏବେ ଅଶୋକ ଗେହଲଟଙ୍କ ସରକାର ମଧ୍ୟ କୃଷକଙ୍କ ଋଣ ଛାଡ଼ କରିବାକୁ ଘୋଷଣା କରିଛନ୍ତି। ୨୦୧୮ ନଭେମ୍ବର ୩୦ ପର୍ଯ୍ୟନ୍ତ କୃଷକଙ୍କ ଦ୍ଵାରା ନିଆଯାଇଥିବା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼ କରିବାକୁ ସରକାର ଆଦେଶ ଜାରି କରିଛନ୍ତି। ଏଥିରେ ସରକାରଙ୍କ ଉପରେ ୧୮ ହଜାର କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝଭାର ପଡ଼ିବ। ଏହି ପରି କୃଷକଙ୍କ ଋଣ ଛାଡ଼ କରିବାରେ ରାଜସ୍ଥାନ ତୃତୀୟ କଂଗ୍ରେସ ଶାସିତ ରାଜ୍ୟ ହେବା ସହିତ ଦେଶରେ ଚତୁର୍ଥ ରାଜ୍ୟ ହୋଇଛି। ଉଲ୍ଲେଖଯୋଗ୍ୟ ଗୋଟିଏ ଦିନ ପୂର୍ବରୁ ଆସାମ ସରକାର ଚାଷୀଙ୍କ ପାଇଁ କୃଷି ଋଣ ଛାଡ଼ ଘୋଷଣା କରିଥିଲେ।
ଉଲ୍ଲେଖଯୋଗ୍ୟ କଂଗ୍ରେସ ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନରେ କୃଷକଙ୍କ ଋଣ ଛାଡ଼ କରିବାକୁ ଘୋଷଣା କରିବା ସହିତ ଏହାକୁ ବଡ଼ ପ୍ରସଙ୍ଗ କରିଥିଲା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜର ରାଲିରେ ସରକାର ଗଠନ ହେବାର ଦଶ ଦିନ ମଧ୍ୟରେ କୃଷକଙ୍କ ଋଣ ଛାଡ଼ କରିବା କଥା କହିଥିଲେ।