ଭୁବନେଶ୍ୱର, ୧୮/୧୨: ମହାନଦୀକୁ ନେଇ ସବୁବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷୁଥିବା ରାଜ୍ୟ କଂଗ୍ରେସ ପାଇଁ ଏବେ ପରୀକ୍ଷାର ବେଳ ଆସିଛି । ଛତିଶଗଡ଼ରୁ ବିଜେପି ସରକାର ଗାଦିଚ୍ୟୁତ ହେବା ପରେ କ୍ଷମତାକୁ ଆସିଥିବା କଂଗ୍ରେସ ସରକାର ମହାନଦୀ ବିବାଦର ସମାଧାନ କରିବେ ବୋଲି ଓଡ଼ିଶା କଂଗ୍ରେସର ଆଶା ଉଜ୍ଜୀବିତ ହୋଇଛି । ମହାନଦୀ ବିବାଦରେ ଓଡ଼ିଶାକୁ ନ୍ୟାୟ ଦେବାକୁ ନୂଆ କରି ମୁଖ୍ୟମନ୍ତ୍ରୀ ସିଂହାସନରେ ବସିଥିବା ଭୂପେଶ ବଘେଲଙ୍କ ସହିତ ଆଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆଲୋଚନା ସକରାତ୍ମକ ରହିଥିବା ଶ୍ରୀ ପଟ୍ଟନାୟକ ଓଡ଼ିଶା ଫେରିବା ପରେ ସୂଚନା ଦେଇଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାରେ ପ୍ରଚାର କରିବାକୁ ସେ ଆହ୍ୱାନ କରିଛନ୍ତି ।
ଗତକାଲି ଭୂପେଶ ବଘେଲଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ନିରଞ୍ଜନ ପଟ୍ଟନାୟକ ତାଙ୍କ ସହିତ ମହାନଦୀ ଜଳ ବିବାଦକୁ ନେଇ ଆଲୋଚନା କରିଛନ୍ତି । ଆଲୋଚନା ସକରାତ୍ମକ ରହିଥିଲା । ଭୂପେଶ ଓଡ଼ିଶାର ଦାବିକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଦଳୀୟ ଟିମ୍ ପୁଣି ଥରେ ଏ ସଂପର୍କରେ ମଧ୍ୟ ଛତିଶଗଡ଼ ସରକାର ସହିତ ଆଲୋଚନା କରିବ । ତେବେ ଏହି ପରିପ୍ରେକ୍ଷୀରେ ବିଜେପି ଓ ବିଜେଡ଼ି ଉପରେ ଦୋଷ ଲଦିଛନ୍ତି ନିରଞ୍ଜନ । ଏହି ଦୁଇ ଦଳ ବିବାଦରେ ଆହୁରି ଦ୍ୱନ୍ଦ ସୃଷ୍ଟି କରୁଛନ୍ତି । ଆମେ ଯାହା ପ୍ରତିଶ୍ରୁତି ଦେଉ ତାହାକୁ ପୂରଣ କରୁ ।
ତେବେ ଛତିଶଗଡ଼ରେ ପରାଜୟର ମୁହଁ ଦେଖିଥିବା ବିଜେପି ପାଇଁ ମୋଦୀ ନିଜେ ପ୍ରଚାର କରିଥିଲେ । ସେହିଭଳି ଓଡ଼ିଶାରେ ଯଦି ପ୍ରଚାର କରନ୍ତି ତେବେ ଆମକୁ ଲାଭ ମିଳିବ ବୋଲି ପିସିସି ସଭାପତି କହିଛନ୍ତି । କାରଣ ମୋଦୀ ଯେଉଁଠି ସବୁ ପ୍ରଚାର କରିଛନ୍ତି ୭୦ ପ୍ରତିଶତ ସ୍ଥାନରେ ବିଜେପି ପରାସ୍ତ ହୋଇଛି । ସେଥିପାଇଁ ମୋଦୀଙ୍କୁ ଓଡ଼ିଶାରେ ପ୍ରଚାର କରିବାକୁ ଆହ୍ୱାନ କରିଛନ୍ତି ।