ଭୁବନେଶ୍ୱର,୨୭/୧୨: ପିପିଲି ଗଣବଳାତ୍କାର ଓ ହତ୍ୟା ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିଥିବା ମନ୍ତବ୍ୟ ଦେଇ ସମାଲୋଚିତ ହେଉଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ। ଏହି କ୍ରମରେ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା ଏହାକୁ ଅତ୍ୟନ୍ତ ଦୁଃଖ ଦାୟକ ଓ ସମ୍ବେଦନହୀନ କାର୍ଯ୍ୟ ବୋଲି କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରଭାତି କହିଛନ୍ତି, ଓଡ଼ିଶାରେ ମହିଳାଙ୍କୁ କେତେ ସମ୍ମାନ ମିଳୁଛି ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ଜଣାପଡ଼ୁଛି। ମନ୍ତ୍ରୀ ଏଭଳି ବୟାନ ଦେଇ ମହିଳା ଜାତିକୁ ଅପମାନିତ କରିଛନ୍ତି। ତେଣୁ ତାଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ୨୪ ଘଣ୍ଟା ମଧ୍ୟରେ ବହିଷ୍କାର କରାଯାଉ ବୋଲି ସେ ଦାବି କରିଛନ୍ତି। ଏପରିକି ଘଟଣାର ସିବିଆଇସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବାକୁ ମହିଳା ମୋର୍ଚ୍ଚା ଦାବି କରୁଛି ବୋଲି ସେ କହିଛନ୍ତି।
ରାଜ୍ୟ ସରକାର ମହିଳା ସଂରକ୍ଷଣ, ମିଶନ ଶକ୍ତି, ମହିଳା ସଶକ୍ତିକରଣ କଥା କହି ବାହାବାଃ ସାଉଟୁଁଥିବା ବେଳେ ନାବାଳିକା ବଳାତ୍କାର ମାମଲାରେ କିଭଳି ସମ୍ବେଦନହୀନ ମନ୍ତବ୍ୟ ଦେଉଛନ୍ତି ବୋଲି ପ୍ରଭାତି ପ୍ରଶ୍ନ କରିଛନ୍ତି। ଏହା ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ନିକଟରେ କୁନ୍ଦୁଲି ନାବାଳିକା ବଳାତ୍କାର ପୀଡ଼ିତାର ପ୍ରମାଣ କ୍ରାଇମ୍ବ୍ରାଞ୍ଚ ଦ୍ୱାରା ନଷ୍ଟ କରାଯାଇଥିବା ବେଳେ ପୁଣିଥରେ ପିପିଲି ଗଣବଳାତ୍କାର ପୀଡ଼ିତାଙ୍କୁ ପ୍ରମାଣ ଅଭାବରୁ ଛଡ଼ା ଯାଇଥିବା ଜଣାପଡ଼ିଛି। ଏହା ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଥିବାକୁ ସ୍ପଷ୍ଟ କରୁଛି ବୋଲି ପ୍ରଭାତି ପରିଡା କହିଛନ୍ତି।