ନୂଆଦିଲ୍ଲୀ, ୨୨/୧୧: ମହାରାଷ୍ଟ୍ରରେ ଲୋକ ସଂଘର୍ଷ ମୋର୍ଚା ତରଫରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ଏବଂ କୃଷକ ମୁମ୍ବାଇ ସ୍ଥିତ ଆଜାଦ ମଇଦାନରେ ଏକତ୍ର ହୋଇଛନ୍ତି । ବିଭିନ୍ନ ଦାବି ନେଇ ସେମାନେ ସରକାରଙ୍କ ବିରୋଧରେ ନାରାବାଜି କରୁଛନ୍ତି । ଜଙ୍ଗଲ ଜମି ଏବଂ ସ୍ଥାୟୀ ଘର ଆଦିବାସୀଙ୍କୁ ହସ୍ତାନ୍ତର କରିବା ଦାବିରେ ଆନ୍ଦୋଳନକାରୀମାନେ ଏକତ୍ର ହୋଇଛନ୍ତି । ଏହା ପୂର୍ବରୁ ମଧ୍ୟ କୃଷକମାନେ ଆନ୍ଦୋଳନ କରିଥିଲେ । ସେମାନେ ଅଭିଯୋଗ କରିଛନ୍ତି କି, ସରକାର ଗତ ଆନ୍ଦୋଳନ ପରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି । ଯଦି ଦାବି ପୂବଣ ନ ହୁଏ ତେବେ ଆନ୍ଦୋଳନ ବ୍ୟାପକ ହେବାନେଇ ମୋର୍ଚା ଚେତାବନୀ ଦେଇଛି । ମୁଖ୍ୟତଃ ଜମିପଟା, ବନାଧିକାର ନିୟମ ଲାଗୁ, ମରୁଡି ସମସ୍ୟା, ଏମଏସପି, ସ୍ୱାମୀନାଥନ ରିପୋର୍ଟ ଲାଗୁ ଭଳି ଅନେକ ଦାବି ନେଇ ଉଭୟ କୃଷକ ଏବଂ ଆଦିବାସୀମାନେ ବିକ୍ଷୋଭ କରୁଛନ୍ତି । ପାଖାପାଖି ୯ମାସ ହେଲା ସରକାର କିଛି ପଦକ୍ଷେପ ନେଉ ନଥିବା ମୋର୍ଚ୍ଚା କହିଛି ।