ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଅନଶନରୁ ଓହରିଲେ ଆନ୍ନା

0

ରାଲେଗାଓଁ ,୫/୨: ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି ଦାବିରେ ଗତ ୭ ଦିନ ହେଲା ଆମରଣ ଅନଶନ କରୁଥିବା ବରିଷ୍ଠ ସାମାଜିକ କର୍ମୀ ଆନ୍ନା ହଜାରେ ଆଜି ତାଙ୍କ ଅନଶନ ଭାଙ୍ଗିଛନ୍ତି। ଆଜି ସନ୍ଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ଆନ୍ଦୋଳନରତ ଆନ୍ନାଙ୍କୁ ଭେଟିବା ସହ ଅନଶନ ପ୍ରତ୍ୟାହାର କରିବାକୁ ନିବେଦନ କରିଥିଲେ।

ଫଡ଼ନାଭିସ୍‌ ଆସନ୍ତା ୧୩ ତାରିଖରେ ଲୋକପାଳ ଓ ଲୋକାୟୁକ୍ତ ଗଠନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ନା ଅନଶନ ଭାଙ୍ଗିଥିଲେ। ଆନ୍ନାଙ୍କୁ ନିଜେ ଫଡ଼ନାଭିସ୍‌ ପାଣି ପିଆଇ ଅନଶନ ଭାଙ୍ଗିବାରେ ସହାୟତା କରିଥିଲେ।

ଆନ୍ନା କହିଛନ୍ତି,“ ମୋର ପ୍ରମୁଖ ଦାବି ଲୋକାୟୁକ୍ତ ଗଠନ ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡ଼ନାଭିସ୍‌ ୧୩ ତାରିଖରେ ନିଷ୍ପତ୍ତି ନେବେ। ଲୋକାୟୁକ୍ତ ପାଇଁ ଆସନ୍ତା ୧୩ରେ ଏକ ଯୁଗ୍ମ କମିଟି ଗଠନ ହେବ।

ଏହାପରେ ଆସନ୍ତା ମହାରାଷ୍ଟ୍ର ବିଧାନସଭା ଅଧିବେଶନ ବେଳେ ଏକ ଆଇନ୍‌ ପ୍ରଣୟନ ହେବ। ତାଙ୍କ ସହ ଆଲୋଚନା କରି ମୁଁ ବହୁତ ଖୁସି। ତେଣୁ ମୁଁ ଆନ୍ଦୋଳନ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି।” ଆନ୍ନା ଜାନୁଆରୀ ୩୦ରୁ ଆନ୍ଦୋଳନ କରୁଥିବା ବେଳେ ଆଜି ଯାଏ କେନ୍ଦ୍ର ସରକାର କିମ୍ବା ମହାରାଷ୍ଟ୍ର ସରକାର କେହି ତାଙ୍କୁ ଗୁରୁତ୍ୱ ଦେଇ ନଥିଲେ। ଫଡ଼ନାଭିସ୍‌ଙ୍କ ସହ କେନ୍ଦ୍ରମନ୍ତ୍ରୀ ରାଧା ମୋହନ ସିଂହ, ସୁଭାଷ ଭାମରେ ଏବଂ ମହାରାଷ୍ଟ୍ର ମନ୍ତ୍ରୀ ଗିରିଶ ମହାଜନ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.