ଭୁବନେଶ୍ୱର,୨୫/୨: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗରେ ବୋର୍ଡ଼ ପ୍ରତିକ୍ରିୟା ଦେଇଛି । ଆଜି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ ଇଂରାଜୀ ଭାଷା ପରୀକ୍ଷା ଥିଲା । ପରୀକ୍ଷା ସରିବା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ନେଇ ପ୍ରଚାର ପରେ ଇଂରାଜୀ ବିଷୟର ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ ବୋଲି ବୋର୍ଡ଼ ସଭାପତି ସ୍ପଷ୍ଟ କରିଛନ୍ତି।
ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପ୍ରଥମ ଦିନରୁ ହିଁ ଓଡ଼ିଆ ଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଏନେଇ ଅନେକ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତଥାପି ଆଜି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ ଥିବାବେଳେ ଇଂରାଜୀ ଭାଷା ପରୀକ୍ଷା ସରିବା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ଚାରିଆଡ଼େ ଖେଳିଯାଇଥିଲା । ଏହା ସତ୍ୱେ ଇଂରାଜୀ ବିଷୟର ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ସଭାପତି ଜାହାନ ଆରା ବେଗମ ମନ୍ତବ୍ୟ ଦେଇଛନ୍ତି ।
ଆଜି ମଧ୍ୟ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଗଣମାଧ୍ୟମରେ ପ୍ରଚାର ହୋଇଥିଲା । ମୂଳ ପ୍ରଶ୍ନପତ୍ର ସହ ଭାଇରାଲ ପ୍ରଶ୍ନପତ୍ରର ମେଳ କରାଯାଇଛି । ଏହା ପରେ ଆଜି ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ ବୋଲି ସ୍ପଷ୍ଟ ହୋଇଛି । ଏସବୁ ଲୋକଙ୍କ ବଦମାସୀ ଯୋଗୁଁ ହୋଇଥିବା କୁହାଯାଇଛି ।ଏନେଇ ଛାତ୍ରଛାତ୍ରୀ ଭୟଭୀତ ନହେବାକୁ ସଭାପତି ପରାମର୍ଶ ଦେଇଛନ୍ତି ।