କେନ୍ଦ୍ରାପଡ଼ା,୧୧/୧୨: ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଓରତ- ଅଙ୍ଗୁଳେଇ ରାସ୍ତାର କୁମୁରୁଣି ଗାଁ ନିକଟ ନାଳରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଠାବ କରାଯାଇଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ମାର୍ଶାଘାଇ ଥାନା ଅନ୍ତର୍ଗତ ଓରତ- ଅଙ୍ଗୁଳେଇ ରାସ୍ତାର ଅଳାଇଲୋ ପଞ୍ଚାୟତ କୁମୁରୁଣି ଗାଁ ନିକଟରେ ଆଜି ଜଣେ ଯୁବକଙ୍କ ମତଦେହ ଏକ ନିଛାଟିଆ ସ୍ଥାନରେ ପାଣିରେ ପଡ଼ିଥିବା କେତେକ ଲୋକ ଦେଖିଥଲେ। ଏ ନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇ ନ ଥିବାରୁ ତାଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇ ପାରି ନାହିଁ। ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି ଯେ ସମ୍ଭବତ ଯୁବକଙ୍କୁ ଅନ୍ୟତ୍ର ହତ୍ୟା କରାଯାଇ ଆଣି ଏଠାରେ ଫିଙ୍ଗି ଦିଆଯାଇଛି। ତେବେ ଏ ନେଇ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ ମଧ୍ୟ ସମ୍ବାଦ ଲେଖାହେଲା ଯାଏ ଘଟଣାସ୍ଥଳରେ ପୁଲିିସ ପହଞ୍ଚି ନାହିଁ।। ମୃତ ଯୁବକ ଜଣକ ଏକ କଳାରଙ୍ଗର ଫୁଲ ପ୍ୟାଣ୍ଟ, କଳା ରଙ୍ଗର ଜ୍ୟାକେଟ, ଗୋଲାପି ରଙ୍ଗର ସାର୍ଟ ପିନ୍ଧିିଥିବା ଦେଖିବାକୁ ମିଳିଛି।