ଭୁବନେଶ୍ୱର,୨୯/୧୧: ନିଜ ଘରକୁ ଫେରିଥିବାରୁ ମୁଁ ବହୁତ ଉତ୍ସାହିତ। ଆମେ ଏକ ହୋଇ କାର୍ଯ୍ୟ କରବୁ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ଉତ୍ସାହିତ ହୋଇ ରାଜନୀତିକୁ ଆସିଛି। ଲୋକଙ୍କ ସହ ଓ ଲୋକଙ୍କ ବିକାଶ ପାଇଁ କାମ କରିବି ବୋଲି ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ କହିଛନ୍ତି ନବାଗତା ବିଜେପି ନେତ୍ରୀ ତଥା ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡ଼ଙ୍ଗୀ।
ଅପରାଜିତା ମଙ୍ଗଳବାର ନୂଆଦିଲ୍ଲୀ ଠାରେ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେବା ପରେ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ନବାଗତ ଦଳୀୟ ନେତ୍ରୀ ଅପରାଜିତାଙ୍କୁ ଫୁଲତୋଡା ଦେଇ ବିଜେପିର କର୍ମକର୍ତ୍ତାମାନେ ସ୍ୱାଗତ କରିଥିଲେ। ଏହି ଅବସରରେ ସେ ଗଣମାଧ୍ୟମକୁ କହିଥିଲେ ବିଜେପିର ନୀତି ଆଦର୍ଶ ମୋତେ ଅନୁପ୍ରାଣିତ କରିଛି। ଓଡ଼ିଶାକୁ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାକୁ କାର୍ଯ୍ୟ କରିବି। ଲୋକଙ୍କ ସେବା କରିବା ପାଇଁ ରାଜନୀତି ଗୋଟିଏ ଭଲ ପ୍ଲାଟଫର୍ମ ବୋଲି କହିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଚର୍ଚ୍ଚାର ଆବଶ୍ୟକତା ନାହିଁ ବୋଲି କହିଥିଲେ ଶ୍ରୀମତି ଷଡଙ୍ଗୀ। ବିଜେପି ଦଳରେ ଯୋଗ ଦେଇଛି। ଦଳର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବି ବୋଲି ସେ ମତବ୍ୟକ୍ତ କରିଥିଲେ।