ବିଜେପୁର,୨୪/୧୦: ବିଜେପୁର ବିଧାନସଭା ଉପନିର୍ବାଚନର ରେକର୍ଡ ସଂଖ୍ୟକ ଭୋଟ୍ ପାଇ ବିଜେଡି ପ୍ରାର୍ଥିନୀ ରୀତା ସାହୁ ବିଜୟିନୀ ହେବାପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ରୀତା ସାହୁ କହିଛନ୍ତି ଯେ ଏହି ବିଜୟର ଶ୍ରେୟ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେପୁରବାସୀଙ୍କୁ ଦେବେ । ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେଇଛନ୍ତି ବୋଲି ସେ କହିଛନ୍ତି।
୨୧ ତଥା ଶେଷ ରାଉଣ୍ଡ୍ ଗଣତି ଶେଷ ସୁଦ୍ଧା ୧ ଲକ୍ଷ ୩୫ ହଜାର ୯୫୭ ଖଣ୍ଡ ଭୋଟ୍ ପାଇ ରୀତା ସାହୁ ୯୭ ହଜାର ୯୯୦ ଖଣ୍ଡ ଭୋଟ୍ ବ୍ୟବଧାନରେ ଏହି ଉପନିର୍ବାଚନ ଜିଣିଛନ୍ତି। ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୩୭୯୬୭ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ୫୮୭୩ ଖଣ୍ଡ ଭୋଟ୍ ପାଇଛନ୍ତି। ପୂର୍ବରୁ କଂଗ୍ରେସର ଗଡ଼ କୁହାଯାଉଥିବା ଏହି ଆସନରେ ଏଥରକୁ ମିଶାଇ ବିଜେଡି କ୍ରମାଗତ ତିନି ଥର ବିଜୟୀ ହୋଇଛି। ଏହା ସହ ରୀତା ଆଉ ଏକ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି । ରାଜ୍ୟର ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ରୀତା ।