ଭୁବନେଶ୍ଵର, ୩୦/୧୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଲୋକସେବା ଭବନରୁ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ୫ଟି ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ୨୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିରେ ୮୯୩୯ କୋଟି ଟଙ୍କା ନିବେଶ ହେଉଥିବା ବେଳେ ୧୨,୧୪୨ ଜଣଙ୍କୁ ନିଯୁକ୍ତି ମିଳିବ। ଉଦଘାଟିତ ହୋଇଥିବା ଏହି ୫ଟି ପ୍ରକଳ୍ପରେ ନିବେଶ ହେବ ୨ ହଜାର ୭୮୯.୧୬ କୋଟି ଟଙ୍କା । ଏଥିରେ ୧ ହଜାର ୧୧୮ ଜଣଙ୍କୁ ନିଯୁକ୍ତି ମିଳିବା ସମ୍ଭାବନା ରହିଥିବା ରାଜ୍ୟ ସରକାର କହିଛନ୍ତି। ସେହି ପରି ଶିଳାନ୍ୟାସ ହୋଇଥିବା ୨୨ଟି ପ୍ରକଳ୍ପରେ ୬୧୫୦ଟଙ୍କା ନିବେଶ ହେବ।
ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ରାଜଗାଙ୍ଗପୁରରେ OCL ସିମେଣ୍ଟ କାରଖାନା ଉଦ୍ଘାଟନ କରିଛନ୍ତି। ଏହି ପ୍ରକଳ୍ପରେ ୧୯୯୫ କୋଟି ଟଙ୍କା ନିବେଶ କରାଯିବ ଏବଂ ୩୬୫ ଜଣଙ୍କୁ ନିଯୁକ୍ତି ମିଳିବ। ସେହି ପରି କଟକ ଆଠଗଡ଼ରେ ଶ୍ରୀ ସିମେଣ୍ଟର ଗ୍ରାଇଣ୍ଡିଂ ୟୁନିଟ୍ ଉଦ୍ଘାଟିତ ହୋଇଛି। ୪୫୨.୫୫ କୋଟି ଟଙ୍କା ନିବେଶ ହେଉଥିବା ବେଳେ ୨୪୩ ଜଣ ନିଯୁକ୍ତି ପାଇବେ।
ସେହିଭଳି ମୁଖ୍ୟମନ୍ତ୍ରୀ କେନ୍ଦୁଝର ବସନ୍ତପୁରରେ ଲୁହାପଥର ପ୍ରକ୍ରିୟାକରଣ ୟୁନିଟ୍ ଉଦ୍ଘାଟନ କରିଛନ୍ତି। ୨୩୮.୯୭ କୋଟି ଟଙ୍କା ନିବେଶ ହେଉଥିବା ଏହି ପ୍ରକଳ୍ପରେ ନିଯୁକ୍ତି ପାଇବେ ୧୯୨ ଜଣ। ଯାଜପୁର ବଡ଼ଚଣାରେ ହେଲା ଓମ୍ଜୟ ବୈଦ୍ୟୁତିକ ଯାନ କାରଖାନା ଉଦଘାଟନ ହୋଇଛି। ଏଥିରେ ୫୨.୪୧ କୋଟି ଟଙ୍କା ନିବେଶ ହେବାକୁ ଥିବା ବେଳେ ୧୨୨ ନିଯୁକ୍ତି ପାଇବେ।
ସୁନ୍ଦରଗଡ଼ ରାଜଗାଙ୍ଗପୁରରେ ସୂରଜ ଇସ୍ପାତ କାରଖାନାର ସଂପ୍ରସାରଣ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ ୫୦.୨୫ କୋଟି ଟଙ୍କା ନିବେଶ ହେବ ଏବଂ ୧୯୬ ଜଣଙ୍କୁ ନିଯୁକ୍ତି ମିଳିବ। ଶିଳାନ୍ୟାସ ହୋଇଥିବା ୨୨ଟି ପ୍ରକଳ୍ପରେ ୬୧୫୦ଟଙ୍କା ନିବେଶ ହେବ। ଏଥିରେ ୧୧୦୨୪ ଜଣଙ୍କୁ ନିଯୁକ୍ତି ମିଳିବ।