ରାୟପୁର, ୨୯/୧୨ : ଛତିଶଗଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ରାଜ୍ୟ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ସଂଖ୍ୟା ୧୫ ପ୍ରତିଶତ ବଦଳରେ ଆଉ ୫ ପ୍ରତିଶତ ବୃଦ୍ଧି କରି ୨୦ ପ୍ରତିଶତ କରିବା ପାଇଁ ସମ୍ବିଧାନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ବାଘେଲା ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କୁ ପଠାଇଥିବା ଚିଠିରେ କହିଛନ୍ତି କି, ସମ୍ବିଧାନର ଅନୁଛେଦ ୧୬୮(୧ କ) ଅନୁଯାୟୀ କୌଣସି ରାଜ୍ୟରେ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀଙ୍କ ସଂଖ୍ୟା ୧୫ ପ୍ରତିଶତ ରହିବା ଆବଶ୍ୟକ । ଏହି ନିୟମ ଅନୁସାରେ ଛତିଶଗଡରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀଙ୍କ ସଂଖ୍ୟା ୧୩ରୁ ଅଧିକ ରହି ପାରିବ ନାହିଁ । ତେବେ ଛତିଶଗଡ଼ର ଭୌଗଳିକ ସ୍ଥିତି ଯାହା, ଏହାର ବିକାଶ ପାଇଁ ମନ୍ତ୍ରିମଣ୍ଡଳର ସଂଖ୍ୟା ବୃଦ୍ଧି କରାଯିବା ନିହାତି ଆବଶ୍ୟକ । ଛତିଶଗଡ଼ର ଭୌଗଳିକ ଅଞ୍ଚଳ ତେଲେଙ୍ଗାନା, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ବିହାରଠାରୁ ଅଧିକ । ରାଜ୍ୟ ଜନସଂଖ୍ୟାର ୧୨ ପ୍ରତିଶତ ତଫସିଲଭୁକ୍ତ ଜାତିର, ପ୍ରାୟ ୩୨ ପ୍ରତିଶତ ତଫସିଲଭୁକ୍ତ ଜନଜାତିର ଲୋକେ ଥିବାରୁ, ସମସ୍ତ ବର୍ଗର ବିକାଶ ସହିତ ସମଗ୍ର ଅଞ୍ଚଳର ପ୍ରଶାସନିକ ସୁଲଭତା ପାଇଁ ରାଜ୍ୟର ମନ୍ତ୍ରୀ ସଂଖ୍ୟା ବୃଦ୍ଧି କରିବା ନିହାତି ଆବଶ୍ୟକ । ତେଣୁ ଏଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରି ଆବଶ୍ୟକ ସମ୍ବିଧାନ ସଂସୋଧନ କରିବା ପାଇଁ ଶ୍ରୀ ବାଘେଲା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଯୋଗେ ଅନୁରୋଧ କରିଛନ୍ତି ।