ଯୁବ ମନକୁ ବିଜ୍ଞାନମୁଖୀ କରାଇଛି ଇସ୍ରୋ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୮/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ – ଇସ୍ରୋ ହଜାର ହଜାର ଯୁବ ମନକୁ ବିଜ୍ଞାନମୁଖୀ କରାଇଛି। ଏହାହିଁ ବିଜ୍ଞାନର ବିଜୟ ବୋଲି ସେ କହିଛନ୍ତି। ବିଭିନ୍ନ ବର୍ଗର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମତାମତ ପାଇବା ପରେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍‍ ଯୋଗେ ଏହି ପ୍ରତିକ୍ରିୟା ଦେଇ କହିଛନ୍ତି, କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଇସ୍ରୋ ମହାକାଶ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅଗ୍ରଗାମୀ ହୋଇପାରିଛି। ଭବିଷ୍ୟତରେ ଇସ୍ରୋ ଏହି ପଥ ଅନୁସରଣ କରି ଆହୁରି ନୂଆ ନୂଆ ଉପଲବ୍ଧିମାନ ହାସଲ କରିବ ବୋଲି ସେ କହିଛନ୍ତି। ଇସ୍ରୋ ଏବଂ କ୍ରୀଡ଼ାବିତ୍‍ଙ୍କ ଭଳି ଚାମ୍ପିୟନମାନଙ୍କ କ୍ଷେତ୍ରରେ ବିଫଳତା ବୋଲି କୌଣସି କଥା ନାହିଁ। ସେମାନେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଶିକ୍ଷା କରିଥା’ନ୍ତି ଏବଂ ତଦନୁସାରେ ଆଗକୁ ବଢ଼ିଥା’ନ୍ତି।

ଭାରତକୁ ଏକ ପରିବାର ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ପରିବାରରେ ସହାୟତା ଓ ପ୍ରଶଂସାର ଆବଶ୍ୟକତା ରହିଛି। ଇସ୍ରୋ ଏବଂ ଏହାର ବୈଜ୍ଞାନିକମାନଙ୍କ ପାଇଁ ଭାରତ ଏକ ରାଷ୍ଟ୍ର ହିସାବରେ ଗର୍ବିତ।