ରାଏବରେଲିରେ ପ୍ରଧାନମନ୍ତ୍ରୀ

0

ରାଏବରେଲି,୧୭/୧୨: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ରାଫାଲ କ୍ଲିନ୍‌ଚିଟ୍‌ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ରାଏବରେଲିରେ କଂଗ୍ରେସ ଉପରେ ବର୍ଷିଛନ୍ତି। ମୋଦି ରବିବାର ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, ରାଫାଲ ଚୁକ୍ତିକୁ ନେଇ କଂଗ୍ରେସ ମିଛ କହୁଛି। କାରଣ ଭାଜପା ସରକାରଙ୍କ ଏହି ଡିଲ୍‌ରେ ‘କ୍ୱାତ୍ରୋଚି ଅଙ୍କଲ୍‌’ ଅଥବା ଖ୍ରୀଷ୍ଟିୟାନ ମିଶେଲଙ୍କ ଭଳି ମଧ୍ୟସ୍ଥଙ୍କ କିଛି ଭୂମିକା ନାହିଁ। ଏଥିପାଇଁ କଂଗ୍ରେସ ପ୍ରଥମେ ବାୟୁସେନା ଅଧିକାରୀ, ଫ୍ରାନ୍ସ ସରକାର ଏବଂ ପରେ ଏବେ ସୁପ୍ରିମକୋର୍ଟଙ୍କୁ ଅବିଶ୍ୱାସ କରୁଛି। ଏହି ଦଳର ନେତାମାନେ ନ୍ୟାୟପାଳିକା ବିରୋଧରେ ଅନାସ୍ଥାଭାବ ସୃଷ୍ଟି କରିବାରେ ଲାଗିଛନ୍ତି। ଦେଶର ପ୍ରତିରକ୍ଷା ସୁଦୃଢ଼ ହେଉ ବୋଲି କଂଗ୍ରେସ ଚାହୁଁ ନ ଥିବାରୁ ରାଫାଲ୍‌ ଚୁକ୍ତିରେ ସ୍ବଚ୍ଛତାକୁ ନେଇ ଚିନ୍ତିତ ହୋଇପଡ଼ିଛି। ସେହିପରି ଚାଷୀଙ୍କ ସମସ୍ୟା ଉଠାଉଥିବା କଂଗ୍ରେସ ୧୦ ବର୍ଷ ଧରି କ୍ଷମତାରେ ଥିବାବେଳେ ସ୍ବାମୀନାଥନ୍‌ କମିଟିର ସୁପାରିସକୁ କାହିଁକି କାର୍ଯ୍ୟକାରୀ କରି ନ ଥିଲା ବୋଲି ମୋଦି ପ୍ରଶ୍ନ କରିଛନ୍ତି। ପରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜ ଗସ୍ତକରି ଆସନ୍ତା ଜାନୁୟାରୀରେ ହେବାକୁ ଥିବା କୁମ୍ଭମେଳା ପାଇଁ ସମୀକ୍ଷା କରିଥିଲେ। ଏହି ଅବସରରେ ସେ ଏକ ବିମାନବନ୍ଦର ଟର୍ମିନାଲ ଓ କୁମ୍ଭମେଳା ନିୟନ୍ତ୍ରଣକକ୍ଷକୁ ଉଦ୍‌ଘାଟନ କରିଥିଲେ।

Leave A Reply

Your email address will not be published.