ଅହମଦାବାଦ୍,୮/୧୧: ରାଜକୋଟରେ ରୋହିତ ରାଜ ଯୋଗୁ ବାଂଲାଦେଶକୁ ଦ୍ୱିତୀୟ ଟି-୨୦ରେ ଏକତରଫା ଭାବେ ପରାସ୍ତ କରିଥିବା ଟିମ୍ ଇଣ୍ଡିଆ ନାଁରେ ନୂଆ ରେକର୍ଡ ଯୋଡ଼ି ହୋଇଯାଇଛି। ପ୍ରଥମେ ବ୍ୟାଟିଂ କରି ପ୍ରତିପକ୍ଷ ଦଳକୁ ଠିକ୍ ଭାବେ ଟାର୍ଗେଟ ଦେବା ଓ ଏହାକୁ ଅଟକାଇବାରେ ବିଫଳ ହେଉଥିବା ଟିମ୍ ଇଣ୍ଡିଆ କିନ୍ତୁ ଚେଜ୍ରେ ସବୁ କ୍ରିକେଟ ଖେଳୁଥିବା ଦେଶଗୁଡ଼ିକୁ ପଛରେ ପକାଇ ଦେଇଛି। ଏସିଆ ମହାଦେଶର କ୍ରିକେଟ କିଙ୍ଗ ଟିମ୍ ଇଣ୍ଡିଆର ଚେଜ୍ ତୁଳନାରେ ଅଷ୍ଟ୍ରେଲିଆ ଭଳି ଦେଶ ମଧ୍ୟ ପଛରେ ପଡ଼ିଯାଇଛି।
ଗୁରୁବାର ଟିମ୍ ଇଣ୍ଡିଆ ଚେଜ୍ କରି ସର୍ବାଧିକ ଟି-୨୦ ମ୍ୟାଚ୍ ଜିତିବାର ରେକର୍ଡ ନିଜ ନାଁରେ କରି ନେଇଛି। ବାଂଲାଦେଶ ଦେଇଥିବା କର ବା ମର ମ୍ୟାଚ୍ରେ ରୋହିତ ଶର୍ମାଙ୍କ ଟିମ୍ ଇଣ୍ଡିଆ ମାତ୍ର ୧୫.୪ ଓଭରରେ ଏହାକୁ ହାସଲ କରିନେଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଏଭଳି ଚେଜ୍ କରି ସର୍ବାଧିକ ମ୍ୟାଚ୍ ଜିତିଥିବା ତାଲିକାରେ ଟିମ୍ ଇଣ୍ଡିଆ ୧ ନଂ ସ୍ଥାନରେ ପହଞ୍ଚି ଯାଇଛି। ଭାରତ ୬୧ଟି ଟି-୨୦ ମ୍ୟାଚ୍ରେ ଚେଜ୍ କରି ୪୧ଟି ମ୍ୟାଚ୍ରେ ବିଜୟ ହାସଲ କରିବାର ରେକର୍ଡ କରିଛି।
ପୂର୍ବରୁ ଅଷ୍ଟ୍ରେଲିଆ ଏହି ତାଲିକାର ୧ ନଂ ସ୍ଥାନରେ ରହିଥିଲା। ଟିମ୍ ଅଷ୍ଟ୍ରେଲିଆ ତା’ର ୬୯ଟି ମ୍ୟାଚ୍ରେ ଚେଜ୍ କରି ୪୦ଟିରେ ବିଜୟୀ ହୋଇଥିଲା। ଏହି ଚେଜ୍ କରି ବିଜୟ ହାସଲ କରିବା ତାଲିକାରେ ପୂର୍ବତନ ବିଶ୍ୱ ଟି-୨୦ ଚାମ୍ପିୟନ ପାକିସ୍ତାନ ତୃତୀୟ ସ୍ଥାନରେ ରହିଛି। ୬୭ଟି ମ୍ୟାଚ୍ରେ ଚେଜ କରିଥିବା ପାକିସ୍ତାନ ଏଯାଏ ୩୬ଟି ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଛି। ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ଯୁଗ୍ମ ଭାବେ ଏହି ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି। ଏମାନେ ଯୁଗ୍ମ ଭାବେ ଚେଜ କରି ୨୮ଟି ଲେଖାଏ ମ୍ୟାଚ୍ ଜିତିଛନ୍ତି।
ଟି-୨୦ କ୍ରିକେଟରେ ଚେଜ୍ କଥା ଆସିଲେ ଭାରତର ଦବଦବା ହିଁ ସମଗ୍ର ବିଶ୍ୱରେ ଦେଖିବାକୁ ମିଳେ। ଭାରତର ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଚେଜ୍ ସମୟରେ ଆଭରେଜ ହେଉଛି ୧୧୧.୫୦। ୨୫ଟି ମ୍ୟାଚ୍ରେ ବିରାଟ୍ ଚେଜ୍ ସମୟରେ ୧୧୧୫ ରନ୍ କରି ଭାରତକୁ ଜିତାଇଛନ୍ତି। ଭାରତ ପ୍ରଥମେ ବ୍ୟାଟିଂ କରୁଥିବା ମ୍ୟାଚ୍ରେ ବିରାଟ୍ଙ୍କ ଆଭରେଜ ହେଉଛି ୩୩.୪୦।
ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ଚେଜ ସମୟରେ ୩୦.୩୨ ହାରରେ ୮୪୯ ରନ୍ କରିଛନ୍ତି। ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଚେଜ୍ ସମୟରେ ନିଜ ବ୍ୟାଟିଂ ଯାଦୁ ଦେଖାଇଛନ୍ତି। ଭାରତ ପଛରେ ବ୍ୟାଟିଂ କରି ଜିତିଥିବା ୨୯ଟି ମ୍ୟାଚ୍ରେ ଧୋନି ୭୨.୫୦ ହାରରେ ରନ୍ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ୍ ମଧ୍ୟ ୧୪୨.୧୫ ରହିଛି।
ଗୁରୁବାର ବାଂଲାଦେଶ ବିପକ୍ଷ ଟି-୨୦ ମ୍ୟାଚ୍ ଜିତିବା ଭାରତ ପାଇଁ ଜରୁରୀ ଥିଲା। କାରଣ ଭାରତ ପ୍ରଥମ ଟି-୨୦ ମ୍ୟାଚ୍କୁ ହାରି ଯାଇଥିଲା। ସିରିଜ୍ରେ କମବ୍ୟାକ ପାଇଁ ଏହି ମ୍ୟାଚ୍ଟି କର ବା ମର ଥିଲା। ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ହିଁ ନେଇଥିଲା।
ଭାରତ ପ୍ରଥମ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ପରାସ୍ତ ହୋଇଥିଲା। ସେହିପରି ସେପ୍ଟେମ୍ବର ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ରେ ମଧ୍ୟ ଭାରତ ପ୍ରଥମେ ବ୍ୟାଟିଂ କରି କେବଳ ୧୩୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଦଳକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା।