ଭୁବନେଶ୍ୱର,୨୭/୭ : ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ବେଆଇନ୍ ଭାବେ ଚାଲୁଥିବା ବିଭିନ୍ନ ଡ୍ୟାନ୍ସ ବାର୍ ଉପରେ ଚଢ଼ଉ କରିଥିଲା କମିସନରେଟ୍ ପୁଲିସ । ଚଢ଼ଉ ପରେ ପ୍ରାୟ ୯୬ଜଣ ଅଣଓଡ଼ିଆ ଡ୍ୟାନ୍ସରଙ୍କୁ ପୁଲିସ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ଡ୍ୟାନ୍ସର ସବୁ ନୈନିତାଲ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ, ପଞ୍ଜାବ, ଦିଲ୍ଲୀ ଓ ହରିୟାଣାର ବାସିନ୍ଦା ବୋଲି ଜଣା ପଡ଼ିଛି । ପୁଲିସ ସେମାନଙ୍କ ପରିଚୟ ପତ୍ର ରଖି ସେମାନଙ୍କୁ ଛାଡ଼ିଥିବା ସୂଚନା ମିଳିଛି । ଡ୍ୟାନ୍ସ ବାର୍ଗୁଡ଼ିକର ଲାଇସେନ୍ସ ନଥିବା ବେଳେ ଡ୍ୟାନ୍ସ ପାଇଁ ବାର୍ ମାଲିକ ବାହାରୁ ଯୁବତୀମାନଙ୍କୁ ଆଣୁଥିଲେ । ଏ ନେଇ କମିସନରେଟ୍ ପୁଲିସକୁ ସୂଚନା ମିଳିବା ପରେ ରାତି ଅଧରେ ଚଢ଼ଉର ଯୋଜନା କରିଥିଲା ପୁଲିସ । ଦୀପାଲି, ଆଶୋକ, ରେନ୍ବୋ, ଏକାମ୍ର, ମହାନ୍ତି ବାର୍ ଇତ୍ୟାଦିରେ ଚଢ଼ଉ କରିଥିଲା ପୁଲିସ ।
ସୂଚନା ମୁତାବକ, ଓଡ଼ିଶାର କୌଣସି ବାର୍ ମାଲିକଙ୍କୁ ଡ୍ୟାନ୍ସ ବାର୍ ଚଳାଇବା ପାଇଁ ଲାଇସେନ୍ସ ଦିଆଯାଇ ନାହିଁ । କେବଳ ବାର୍ ଚଳାଇବା ପାଇଁ ସେମାନଙ୍କୁ ଲାଇସେନ୍ସ ଦିଆଯାଇଥାଏ । ପୂର୍ବରୁ ଅନେକ ଥର ଚଢ଼ଉ ହୋଇଥିଲେ ମଧ୍ୟ ବାର୍ ମାଲିକ ଟଙ୍କା ଆୟ ପାଇଁ ବାହାରୁ ଯୁବତୀମାନଙ୍କୁ ଆଣୁଥିବା କହିଛି ପୁଲିସ ।