ରାଜଧାନୀ ଦିଲ୍ଲୀ ହେବ ଇଲେକ୍ଟ୍ରିକ ଗାଡ଼ିର ରାଜଧାନୀ

ନୂଆଦିଲ୍ଲୀ,୨୭/୧୧: ଦିଲ୍ଲୀକୁ ଇଲେକ୍ଟ୍ରିକ ଗାଡ଼ିର ରାଜଧାନୀ କରିବା ପାଇଁ ଦିଲ୍ଲୀ ସରକାର ନୂତନ ପଲିସି ପ୍ରସ୍ତୁତ କରିଛନ୍ତି। ଏହାରି ଆଧାରରେ ୨୦୨୩ରୁ ପଞ୍ଜିକୃତ ହେବାକୁ ଥିବା ଗାଡ଼ି ମଧ୍ୟରୁ ୨୫ ପ୍ରତିଶତ ଇ-ହ୍ଵିକିଲ ରହିବ। ଇଲେକ୍ଟ୍ରିକ ବାଇକରୁ ନେଇ ପରିବହନ ପାଇଁ ଗାଡ଼ି କିଣିବା ଉପରେ ଅଧିକ ସବସିଡ଼ି ସେବା ସହିତ ରୋଡ୍ ଟ୍ୟାକ୍ସ, ପଞ୍ଜିକରଣ ଫି ଛାଡ଼ କରିବାର ପ୍ରାବଧାନ ରହିଛି। ଇଲେକ୍ଟ୍ରିକ ଗାଡ଼ି ପାଇଁ ସରକାର ପ୍ରତି ତିନି କିଲୋମଟର ମଧ୍ୟରେ ଚାର୍ଜିଂ ଷ୍ଟେସନ ଓ ପ୍ରାଇଭେଟ୍ ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାର ଯୋଜନା ମଧ୍ୟ ରହିଛି। ଏହା ବ୍ୟତୀତ ଦିଲ୍ଲୀରେ ୫୦ ପ୍ରତିଶତ ଇ-ବସ ଚଳାଚଳ କରିବାର ଲକ୍ଷ୍ୟ ରଖାଯାଇଛି।
ପରିବହନ ମନ୍ତ୍ରୀ କୈଳାସ ଗେହଲଟ କହିଛନ୍ତି ଯେ ଶୀତ ଦିନେ ଗାଡିରୁ ନିର୍ଗତ ପ୍ରଦୂଷଣର ଅଂଶ ପ୍ରାୟ ୩୦ ପ୍ରତିଶତ ରହିଥାଏ। ଏହି ନୂତନ ପଲିସି ଲାଗୁ ହେଲେ ଦିଲ୍ଲୀ ଇଲେକ୍ଟ୍ରିକ ଗାଡି ମାମଲାରେ ପୂରା ଦେଶରେ ନେତୃତ୍ଵ ନେଇ ପାରିବ। ଏଥିରେ ବଡ଼ ଧରଣର ନିଯୁକ୍ତି ସୃଷ୍ଟି ହେବ।