ମୁମ୍ବାଇ, ୬/୧୨ : ବଲିଉଡ ପରଦାରେ ଧୁମ ମଚାଇବା ପରେ ଏବେ ରାଜନୀତି ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି ବଲିଉଡର ଧକ ଧକ ଗାର୍ଲ ମାଧୁରୀ ଦୀକ୍ଷିତ । ସେ ଖୁବ୍ ଶୀଘ୍ର ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ ବୋଲି ଖବର ମିଳୁଛି । ତେବେ ଯଦି ସେ ବିଜେପିରେ ଯୋଗ ଦିଅନ୍ତି ତାହେଲେ ସେ ପୁଣେ ଲୋକସଭା ଆସନରୁ ନିର୍ବାଚନ ଲଢିବେ ବୋଲି ମହାରାଷ୍ଟ୍ର ବିଜେପିର ଜଣେ ବରିଷ୍ଠ ନେତା ସୁଚନା ଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଚଳିତ ବର୍ଷ ଜୁନ ମାସରେ ମାଧୁରୀଙ୍କ ମୁମ୍ବାଇ ସ୍ଥିତ ବାସଭବନଠାରେ ତାଙ୍କ ସହ ସାକ୍ଷାତକାର କରିଥିଲେ । ଶାହା ସେହି ସମୟରେ ଦଳର ‘ସମ୍ପର୍କ ଫର ସମର୍ଥନ’ କାର୍ଯ୍ୟକ୍ରମ ପାଇଁ ମୁମ୍ବାଇ ଆସିଥିଲେ । ଅମିତ ଶାହା ଏହି ସମୟରେ ମାଧୁରୀଙ୍କୁ ସାକ୍ଷାତ କରି ନରେନ୍ଦ୍ର ମୋଦୀ ସରକାରଙ୍କ ସଫଳତା ବିଷୟରେ ଅବଗତ କରାଇଥିଲେ । ମାଧୁରୀ ମଧ୍ୟ ସେତେବେଳେ ବିଜେପିରେ ମିଶିବେ ବୋଲି ନିଜର ଇଚ୍ଛା ପ୍ରକାଶ କରିଥିଲେ । ସେ କହିଛନ୍ତି କି, ମାଧୁରୀଙ୍କୁ ଦଳ ପୁଣେ ଲୋକସଭା ଆସନରୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି । ପୁନେ ଲୋକସଭା ଆସନ ତାଙ୍କ ପାଇଁ ଭଲ ରହିବ । ଏବେ ଦଳ ଲୋକସଭା ର୍ନିବାଚନ ପାଇଁ କିଛି ନେତାଙ୍କ ଟିକେଟ୍ ଚୂଡ଼ାନ୍ତ କରୁଛି । ଏଥିରେ ମାଧୁରୀଙ୍କ ନାଁ ମଧ୍ୟ ରହିଛିଛ
ସୂଚନାଯୋଗ୍ୟ, ୫୧ ବର୍ଷିୟ ମାଧୁରୀ ‘ତେଜାବ’, ‘ହମ ଆପକେ ହେ କୌନ’, ‘ଦିଲ ତୋ ପାଗଲ ହେ’, ‘ସାଜନ’ ଏବଂ ‘ଦେବଦାସ’ ଭଳି ଅନେକ ସୁପରହିଟ୍ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।