ଭୁବନେଶ୍ୱର,୧୪/୧୨: ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ପିପିପି ମୋଡରେ ଗୁରୁବାର ଏକ ଡାଏଲିସିସ୍ କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି। ଏହାକୁ ମିଶାଇ ୨୦୧୮-୧୯ରେ ମୋଟ ୧୯ଟି ନୂତନ ଡାଏଲିସିସ୍ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ତେବେ ଆଗାମୀ ଦିନରେ ଆଉ ୭ଟି କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ପୂର୍ବରୁ ୧୭ଟି ଜିଲା ମୁଖ୍ୟ ଚିକିତ୍ସାଳୟ ଓ ୧ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି କେନ୍ଦ୍ର ଗୁଡ଼ିକ ପିପିପି ମୋଡରେ କାର୍ଯ୍ୟ କରୁଛି। ଏଠାରେ ବିନା ମୂଲ୍ୟରେ ରୋଗୀ ଚିହ୍ନଟ, ଡାକ୍ତରୀ ପରୀକ୍ଷା ଓ ଚିକିତ୍ସା ସୁବିଧା ସହ ମାଗଣା ଡାଏଲିସିସ୍ ସୁବିଧା ଉପଲବ୍ଧ ହେଉଛି। ଚଳିତ ବର୍ଷ ବୃକକ୍ ଜନିତ ରୋଗରେ ଆକ୍ରାନ୍ତ ୨୮୬୬୫ ଥର ଡାଏଲିସିସ୍ କରାଯାଇଥିବା ଜେନା ସୂଚନା ଦେଇଛନ୍ତି।