ଭୁବନେଶ୍ବର,୧୮/୭ : ରାଜ୍ୟରେ ଇ-ସିଗାରେଟ୍, ଇ-ଶିଶା, ଭେପ୍, ଇ-ନିକୋଟିନ୍ଯୁକ୍ତ ହୁକା, ହିଟ୍-ନଟ୍-ବର୍ଣ୍ଣ ଯନ୍ତ୍ରକୁ ମିଶାଇ ଇଲେକଟ୍ରୋନିକ୍ ନିକୋଟିନ୍ ବିତରଣ ବ୍ୟବସ୍ଥା ବା ଇଏନ୍ଡିଏସ୍କୁ ସରକାରଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଛି। ୧୯୪୦ ଡ୍ରଗ୍ସ ଏବଂ କସମେଟିକ୍ ଆଇନ ଅନୁଯାୟୀ, ରାଜ୍ୟରେ ଇଏନ୍ଡିଏସ୍ର ସମସ୍ତ ପ୍ରକାର ଉତ୍ପାଦନ, ବିକ୍ରି, ବ୍ୟବସାୟ, ଆମଦାନୀ ଓ ବିଜ୍ଞାପନ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର। ଏ ନେଇ ତୁରନ୍ତ ଚଢ଼ଉ କରିବାକୁ ନିର୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଇ-ସିଗାରେଟ୍ ସହ ବିଭିନ୍ନ କ୍ଲବ୍ ଓ ବାର୍ରେ ନିକୋଟିନ୍ଯୁକ୍ତ ହୁକାର ବହୁଳ ବ୍ୟବହାର ହେଉଥିବା ଅଭିଯୋଗ ହୋଇଥିଲା। ଏପରିକି ଅନେକ ସ୍ଥାନରେ ନିକୋଟିନ୍ଯୁକ୍ତ ଇ-ସିଗାରେଟ୍ର ବିଜ୍ଞାପନ ମଧ୍ୟ କରାଯାଉଥିବା ସ୍ବାସ୍ଥ୍ୟ ବିଭାଗର ନଜରକୁ ଆସିଥିଲା। କିଛି ମାସ ପୂର୍ବରୁ କମିସନରେଟ୍ ପୁଲିସ ସହ ସ୍ବାସ୍ଥ୍ୟ ବିଭାଗର ହୋଇଥିବା ଏକ ମିଳିତ ବୈଠକରେ ନିକୋଟିନ୍ଯୁକ୍ତ ଇ-ସିଗାରେଟ୍ ଓ ହୁକାକୁ ନିଷିଦ୍ଧ ଘୋଷଣା କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏସବୁକୁ ନିଷିଦ୍ଧ ଘୋଷଣା କରାଯିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।