ଭୁବନେଶ୍ୱର,୩୧/୧୨ : ରାଜ୍ୟରେ ୧୦୦ ଉଜ୍ଜ୍ବଳା ସାନିଟାରି ନାପ୍କିନ୍ ୟୁନିଟ୍ ଖୋଲିଛି। ଆଜି ରେଳ ଅଡିଟୋରିୟମ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ୟୁନିଟ୍ଗୁଡ଼ିକୁ ଉଦ୍ଘାଟନ କରିଛନ୍ତି। ସେ କହିଲେ, ରାଜ୍ୟର ୨.୨୫ କୋଟି ମହିଳା ଏହା ଦ୍ବାରା ଲାଭବାନ ହେବେ। ପ୍ରତିଟି ୟୁନିଟ୍ ଦ୍ବାରା ୧୦ ମହିଳା ଉପକୃତ ହେବେ। ୟୁନିଟ୍ ପିଛା ୪-୫ ଜଣ ମହିଳାଙ୍କୁ ନିଯୁକ୍ତି ମିଳିବ ଓ ଅନ୍ୟମାନେ ବିକ୍ରି ଓ ବିତରଣ କାର୍ଯ୍ୟ କରିବେ।
ଦେଶର ତିନି ତେଲ କଂପାନି ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ର କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମ ଅଧୀନରେ ଏହି ସାନିଟାରି ନାପ୍କିନ୍ ୟୁନିଟ୍ଗୁଡ଼ିକ ସ୍ଥାନ କରାଯାଇଛି। ଏଥିପାଇଁ ୨.୯୪ କୋଟି ଟଙ୍କା ବିନିଯୋଗ କରାଯାଇଛି। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୯୩ଟି ବ୍ଲକ୍ରେ ଉଜ୍ଜ୍ବଳା ସାନିଟାରି ନାପ୍କିନ୍ ଉପଲବ୍ଧ ହେବ। ଜନ ସେବା କେନ୍ଦ୍ର (ସିଏସ୍ସି)ଗୁଡ଼ିକ ଏହାର ବିତରଣ ଦାୟିତ୍ବ ନିର୍ବାହ କରିବେ। ପ୍ରତି ୟୁନିଟ୍ରେ ଦିନକୁ ୧୦୦୦-୧୨୦୦ ପ୍ୟାଡ୍ ଉତ୍ପାଦନ କରାଯାଇପାରିବ। ସେଠାରେ ଥିବା ଷ୍ଟେରିଲାଇଜେସନ୍ ରୁମ୍ରେ ପ୍ରତିଟି ପ୍ୟାଡ୍କୁ ଜୀବାଣୁମୁକ୍ତ କରାଯିବ। ପ୍ରତିଟି ପ୍ୟାକେଟ୍ରେ ୮ଟି ପ୍ୟାଡ୍ ଭର୍ତି କରି ତାହାକୁ ୪୨ ଟଙ୍କାରେ ବିକ୍ରି କରାଯିବ।
ଏହି ଅବସରରେ ନାଲ୍କୋ ସିଏମଡି ଡକ୍ଟର ଟି କେ ଚାନ୍ଦ, ଜନ ସେବା କେନ୍ଦ୍ରର ଓଡ଼ିଶା ମୁଖ୍ୟ ସ୍ୱର୍ଣ୍ଣପ୍ରଭା ସିଂ, ଓଡିଶା ମୁଖ୍ୟ, ଶ୍ରୀ ସଂଜୟ ଝା, ଆଇଓସିଏଲ୍ର ସାଧାରଣ ପରିଚାଳକ (ଏଲପିଜି) ସଂଜୟ କୁମାର ଝା, ବିପିସିଏଲ୍ର ଓଡ଼ିଶା ଓ ଝାଡ଼ଖଣ୍ଡ ମୁଖ୍ୟ (ଏଲପିଜି) ସଂଜୟ ଶର୍ମା, ଏଚପିସିଏଲର ଡିଜିଏମ (ଏଲପିଜି) ଧର୍ମେନ୍ଦ୍ର ବେହୁରା, ଅଭିନେତ୍ରୀ ମହେଶ୍ୱତା ରାୟ, ଅପରାଜିତା ମହାନ୍ତି, ଅନୁ ଚୌଧୁରୀ, ପିଙ୍କି ପ୍ରଧାନ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ସଂଯୁକ୍ତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।